(ଅନୁସୁୟା) ଭୁବନେଶ୍ୱର: ଆସନ୍ତା ୨୦୨୦ ଫିଫା ଓମେନ୍ସ ୱାର୍ଲଡ କପ ଅଣ୍ଡର ୧୭ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ ଗୋଆରେ ଦ୍ୱିତୀୟ ପ୍ରସ୍ତୁତି କ୍ୟାମ୍ପର ଆୟୋଜନ କରିଛି । ଜୁଲାଇ ୩୦ରୁ ସେପ୍ଟେମ୍ବର୧ ପର୍ଯ୍ୟନ୍ତ ହେବାକୁ ଥିବା ଅଭ୍ୟାସ ମ୍ୟାଚରେ ଜାତୀୟ ସ୍ତରର ୩୪ ଜଣ ଖେଳାଳି ଏହି କ୍ୟାମ୍ପରେ ଭାଗନେବେ । ଏହି ଅଭ୍ୟାସ ମ୍ୟାଚ ପାଇଁ ଓଡିଶା, ସୁନ୍ଦରଗଡ କ୍ରିଡା ହଷ୍ଟେଲର ଅନ୍ତେବାସୀ ମଞ୍ଜୁ ଗଞ୍ଜୁ ଭାଗ ନେବାକୁ ମନୋନୀତ ହୋଇଛନ୍ତି ।
ମଞ୍ଜୁ ହେଉଛନ୍ତି ଓଡିଶାର ଏକମାତ୍ର ଫୁଟବଲ ଖେଳାଳି, ଯେ ଏହି ବୃହତ ଆୟୋଜନ ପାଇଁ ମନୋନୀତ ହୋଇଛନ୍ତି । ମଞ୍ଜୁଙ୍କ ମନୋନୟନକୁ ନେଇ ସୁନ୍ଦରଗଡ କ୍ରିଡା ହଷ୍ଟେଲରେ ଆନନ୍ଦର ଲହରୀ ଖେଳିଯାଇଛି । ମଞ୍ଜୁଙ୍କ ି ସଫଳତା କୁ ନେଇ ତାଙ୍କ କୋଚ ମମତା କୁମାରୀ ସାମନ୍ତ ଖୁସୀ ବ୍ୟକ୍ତ କରିଛନ୍ତି । ମଞ୍ଜୁଙ୍କ ମଧ୍ୟରେ ଥିବା ଖେଳ ମନୋଭାବ ତାଙ୍କ ବ୍ୟକ୍ତିତ୍ୱରୁ ପରିପ୍ରକାଶ ହେଉଥିବା ମମତା କହିଛନ୍ତି । ଏଥିସହ ସେ ଆହୁରି ମଧ୍ୟ ଆଶା ରଖିଛନ୍ତି, ଆଗାମୀ ଦିନରେ ସୁନ୍ଦରଗଡରୁ ବହୁ ମହିଳା ଖେଳାଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁକ୍ଷାତି ଅର୍ଜନ କରି ଆମମାନଙ୍କୁ ଗର୍ବିତ କରିବେ ।
୨୦୨୦ ସେପ୍ଟେମ୍ବର ୨୧ରେ ଭାରତରେ ଫିଫା ଓମେନ ଅଣ୍ଡର ୧୭ ୱାର୍ଲଡ କପ ଅନୁଷ୍ଠିତ ହେବ । ଗତ ୨୦୧୭ରେ ଭାରତ ଅଣ୍ଡର ୧୭ ମେନ୍ସ ୱାର୍ଡ କପର ଆୟୋଜନ କରିଥିଲା । ଭାରତର ବିଭିନ୍ନ ସ୍ଥାନରେ ଏହାର ଆୟୋଜନ ହେବାକୁ ଥିବା ବେଳେ ଭୁବନେଶ୍ୱର ମଧ୍ୟ ଏହି ଦୌଡରେ ରହିଛି ।