ରାଜଧାନୀ ରାଜରାସ୍ତାରେ ଲୁଟିଚାଲିଛି ସାହାରା

0

ଭୁବନେଶ୍ୱର: ଆଜି ବି ସାହାରା କମ୍ପାନୀ ବିଭିନ୍ନ ସ୍କିମର ଲୋଭ ଦେଖେଇ ଲୋକଙ୍କୁ ଠକି ଚାଲିଛି । ସାହାରାର କିଛି ତଥାକଥିତ ଠିକାଦାରରାଜଧାନୀରେ ଅନ୍ୟୁନ ୨୦ଟି କାର୍ଯ୍ୟାଳୟ ମାଧ୍ୟମରେ ଦିନ ଦ୍ବିପ୍ରହରରେ ଏପରି ବେପାର ଚଳାଇଥିବାରୁ ଏହାର ଘୋର ପ୍ରତିବାଦ କରାଯାଇଛି ।
ଜମାକାରୀମାନେ ଅବଧି ସରିବା ପରେ ବାରମ୍ବାର ଧାଁ ଦୌଡ କରି ହତାଶ ହେବା ପରେ ଆଜି ସ୍ଥାନୀୟ ରାମ ମନ୍ଦିର ପାଖ, ସ୍କାଉଟ ଅଫିସ ପରୀସରରେ ଥିବା ସାହାରା ରିଜିଓନାଲ ଅଫିସ ସମ୍ମୁଖରେ ବହୁ ଜମାକାରୀ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜମାକାରୀ ଅଭିଯୋଗ କରିଥିଲେ ଯେ, ସୁପ୍ରିମକୋର୍ଟ ଦ୍ୱାରା ନିନ୍ଦିତ ହେବାପରେ କିଛି ମିଥ୍ୟା ବିଗ୍ୟାପନ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ କରି ଜମାକାରୀ ଙ୍କୁ ପୁଣି ଠକି ଚାଲିଛନ୍ତି । ସାହାରା ମ୍ୟାଚୁରିଟି ଅର୍ଥ ଫେରାଇ ନପାରିଥିବା ସ୍ଥଳେ କେଉଁ ଶକ୍ତି ଓ ସାହସରେ କୋଟି କୋଟି ଟଙ୍କା ଘରଭଡା ଓ କର୍ମଚାରୀ ଦରମା ଦେଇ ତାର ବଣିଜ ପସରା ଓଡିଶାରେ ମେଲାଇଛି ସେ ନେଇ ସେମାନେ ପ୍ରଶ୍ନ ଠାଇଥିଲେ ।
ଅଭିଯୋଗରୁ ପ୍ରକାଶ ଯେ, କମ୍ପାନୀର ଓଡିଶାରେ ସୀମା ଦାସ, ବାବୁ ବସନ୍ତିଆ, ଗୌରାଙ୍ଗ ଦାସ ଓ ରବି ମିଶ୍ର ଭଳି କେତେକ ବ୍ୟକ୍ତି ସାହାରାର ଭଣ୍ଡ ଓ ଠକାମି ବ୍ୟବସାୟରେ ସହାୟତା କରୁଛନ୍ତି । ସଂପୃକ୍ତ ବ୍ୟକ୍ତି ଲୋକଙ୍କୁ ପ୍ରଲୋଭିତ କରି ନିଜେ ନିଜର ଆୟ କରୁଥିବା ବେଳେ କିଛି କର୍ମଚାରୀଙ୍କୁ ଦରମା ପ୍ରଦାନ କରି ସାହରା ଇଣ୍ଡିଆର ମିଛ ସାମ୍ରାଜ୍ୟ ବିସ୍ତାର କରୁଛନ୍ତି । ରାଜଧାନୀ ଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଏପରି ବେଆଇନ କାରବାର ବନ୍ଦ ପୂର୍ବକ ସାହାରାର ସଂପୃକ୍ତ ଠିକଦାର ମାନଙ୍କୁ ଗିରଫ କରିବାକୁ ଦାବି କରାଯିବା ସହ ଏହିମାସ ଶେଷରେ ଯଦି ଆମ ଟଙ୍କା ନ ମିଳେ ତାହେଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ଏହି ପ୍ରତିବାଦ ଓ ବିକ୍ଷୋଭରେ ଭୁବନେଶ୍ୱର ସାହାରା ଜମାକାରୀ ସଂଘର ଚିତ୍ତ ମହାପାତ୍ର, ଶ୍ରଦ୍ଧାଞ୍ଜଳି, ମିହିର ଓ ଅନ୍ୟ ଜମାକାରୀ ଉପସ୍ଥିତ ଥିଲେ । ଓଡିଶା ସାହାରା ଜମାକାରୀ ମଞ୍ଚର ଉପସଭାପତି ସୁନିଲ କୁମାର ଦାସ ଏବଂ କ୍ଷତିଗ୍ରସ୍ତ ମିଳିତ ମଞ୍ଚର ଅନୁରାଧା ସୁବୁଦ୍ଧି ଓ ମଧୁସୂଦନ ବିଶ୍ବାଳ ପ୍ରମୁଖ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲା ।