ଭୁବନେଶ୍ୱର: ପାରିବାରିକ କଳହର କରୁଣ ପରିଣତି । ରାଜଧାନୀ ଭୁବନେଶ୍ୱରରେ ତଣ୍ଟି କାଟି ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ଏଥିସହ ନିଜ ୬ ବର୍ଷର ଝିଅକୁ ବି ଛାଡ଼ିନି ପିଶାଚ ବାପା । ତା’ର ବି ତଣ୍ଟି କାଟି ଦେଇଛି। ତେବେ ଝିଅର ଅବସ୍ଥା ଭଲ ଅଛି।ରାଜଧାନୀର ଘାଟିକିଆ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତ ମହିଳାଙ୍କ ନାଁ ସରସ୍ୱତୀ ଦାସ। ଏବଂ ଘଟଣାରେ ହତ୍ୟାକାରୀ ସ୍ୱାମୀଙ୍କ ନାଁ ସଞ୍ଜୀତ ଦାସ। ସଞ୍ଜୀତଙ୍କ ପରିବାର ଆର୍ଥିକ ଭାବେ ବେଶ୍ ସ୍ୱଚ୍ଛଳ। ଘାଟିକିଆ ଅଞ୍ଚଳରେ ସେମାନଙ୍କର ନିଜ ଘର ରହିଛି।
ମାତ୍ର ସଞ୍ଜୀତ ନିଜେ କିଛି ରୋଜଗାର କରୁ ନ ଥିବା ବେଳେ ସବୁବେଳେ ନିଶାଗ୍ରସ୍ତ ରହୁଥିଲେ। ତାଙ୍କ ପତ୍ନୀ ସରସ୍ୱତୀ ଦାସ ନର୍ସ ଭାବେ କାମ କରୁଥିଲେ। ସେମାନଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି। ସଞ୍ଜିତଙ୍କ ବଡ଼ ଝିଅକୁ ୬ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କୁ ମାତ୍ର ୪ ଦିନ ହୋଇଛି।କୌଣସି ଘଟଣାକୁ ନେଇ ବୁଧବାର ରାତିରେ ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଏହି ଘରୋଇ କଳହ ସାଂଘାତିକ ରୂପ ନେଲା। ଆଉ ରାଗ ଜରଜର ଅବସ୍ଥାରେ ନିଜ ହିତାହିତ ଜ୍ଞାନ ହରାଇ ବସିଥିଲେ ସଞ୍ଜୀତ । ଆଉ ଏକ ଧାରୁଅ ଅସ୍ତ୍ରରେ ତାଙ୍କ ପତ୍ନୀ ଓ ବଡ଼ ଝିଅର ବେକ କାଟି ଦେଇଥିଲେ।
ତେବେ ଘଟଣାସ୍ଥଳରେ ସରସ୍ୱତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଏବେ ବିପଦମୁକ୍ତ ଥିବା ଜଣାଯାଇଛି। ଖବର ପାଇ ଭୁବନେଶ୍ୱର ଡିସିପି ଓ ପୁଲିସ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ କରିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି କହିଛନ୍ତି ଡିସିପି । ତେବେ ରାଜଧାନୀରେ ବାରମ୍ବାର ଏପରି ଘଟଣା ଦେଖିବାକୁ ମିଳୁଛି । କେତେ ବେଳେ ସ୍ୱାମୀ ସ୍ତ୍ରୀ ସହ ଶାଳୀକୁ ହତ୍ୟା କରୁଛି ତ ଆଉ କେତେ ବେଳେ ବାପା ନିଜର ୪ ବର୍ଷର କୁନି ଝିଅ ସାମ୍ନାରେ ମାକୁ ହତ୍ୟାକରି ନିଜ ସୁନା ସଂସାରକୁ ଭାଙ୍ଗି ଚୁରମାର କରିଦେଉଛି ।