ନୂଆଦିଲ୍ଲୀ: ରାଷ୍ଟ୍ରୀୟ ବାଳ ଅଧିକାର ସଂରକ୍ଷଣ ଆୟୋଗ (ଏନସିପିସିଆର) ସୁପ୍ରିମ କୋର୍ଟଙ୍କୁ ଜଣାଇଛନ୍ତି କି, ୨୦୨୦ ଏପ୍ରିଲ ୧ରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧,୪୭,୪୯୨ ଶିଶୁ କୋଭିଡ ୧୯ ଓ ଅନ୍ୟ କାରଣରୁ ନିଜ ପିତା ମାତାଙ୍କ ମଧ୍ୟରୁ ଜଣଙ୍କୁ ବା ଦୁଇ ଜଣଙ୍କୁ ହରାଇଛନ୍ତି । ମହାମାରୀ କାଳରେ ମାତା ପିତାଙ୍କୁ ହରାଇଥିବା ଶିଶୁଙ୍କ ଦେଖାଶୁଣା ଓ ସୁରକ୍ଷାକୁ ନେଇ ନିଜ ତରଫରୁ ଦାୟର ମାମଲାରେ ଏନସିପିସିଆର କହିଛନ୍ତି କି, ଏହି ସଂଖ୍ୟା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଦ୍ୱାରା ନିଜ ବାଳ ସ୍ୱରାଜ ପୋର୍ଟାଲ-କୋଭିଡ କେୟାରରେ ୧୧ ଜାନୁଆରୀ ପର୍ଯ୍ୟନ୍ତ ଅପଲୋଡ କରାଯାଇଥିବା ସଂଖ୍ୟା ଆଧାରିତ ରହିଛି ।
ଆଡଭୋକେଟ ସ୍ୱରୂପମା ଚତୁର୍ବେଦୀଙ୍କ ଦ୍ୱାରା ଦାୟର ସତ୍ୟପାଠରେ କୁହାଯାଇଛି କି, ୧୧ ଜାନୁଆରୀ ପର୍ଯ୍ୟନ୍ତ ଅପଲୋଡ ହୋଇଥିବା ତଥ୍ୟରୁ ଜଣାପଡୁଛି କି, ପାଳନପୋଷଣ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁଙ୍କ ସଂଖ୍ୟା ୧,୪୭,୪୯୨ଅଛି । ଯେଉଁଥିରେ ଅନାଥ ଶିଶୁଙ୍କ ସଂଖ୍ୟା ୧୦,୦୯୪, ମା ବାପାଙ୍କ ମଧ୍ୟରୁ ଜଣଙ୍କୁ ହରାଇଥିବା ଶିଶୁଙ୍କ ସଂଖ୍ୟା ୧,୩୬,୯୧୦ ଓ ପରିତ୍ୟକ୍ତ ଶିଶୁଙ୍କ ସଂଖ୍ୟା ୪୮୮ ରହିଛି । ଆୟୋଗଙ୍କ ମୁତାବକ, ଲିଙ୍ଗ ଆଧାରରେ ୭୬,୫୦୮ ବାଳକ ଥିବା ବେଳେ ୭୦,୯୮୦ କନ୍ୟା ଶିଶୁ ଓ ୪ ଟ୍ରାନ୍ସଜେଣ୍ଡର ରହିଛନ୍ତି ।
ସେହିପରି ମୋଟ ଶିଶୁଙ୍କ ମଧ୍ୟରୁ ସବୁଠାରୁ ଅଧିକ ଶିଶୁ ୮ରୁ ୧୩ ବର୍ଷ ବୟସ ବର୍ଗର ରହିଛନ୍ତି, ଯେଉଁମାନଙ୍କ ସଂଖ୍ୟା ୫୯,୦୧୦ ରହିଛି । ସେହିପରି ୪ରୁ ୭ ବର୍ଷ ବୟସ ବର୍ଗର ୨୬,୦୮୦ ଶିଶୁ ରହିଛନ୍ତି, ଯେଉଁମାନଙ୍କ ସଂଖ୍ୟା ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ୧୪ରୁ ୧୫ ବର୍ଷ ମଧ୍ୟରେ ୨୨, ୭୬୩ ଓ ୧୬ରୁ ୧୮ ବର୍ଷ ମଧ୍ୟରେ ୨୨,୬୨୬ ରହିଛନ୍ତି ।
ସତ୍ୟପାଠରେ ବର୍ତ୍ତମାନ ଶିଶୁଙ୍କ ଆଶ୍ରୟ ସ୍ଥିତିକୁ ନେଇ କୁହାଯାଇଛି କି, ୧,୨୫,୨୦୫ ଶିଶୁ ସେମାନଙ୍କ ପିତା ବା ମାତାଙ୍କ ସହ ରହିଛନ୍ତି, ୧୧,୨୭୨ ଶିଶୁ ପରିବାର ସଦସ୍ୟମାନଙ୍କ ସହ ଓ ୮,୪୫୦ ଶିଶୁ ଅଭିଭାବକଙ୍କ ସହ ରହିଛନ୍ତି । ଆହୁରି କୁହାଯାଇଛି କି, ୧,୫୨୯ ଶିଶୁ ବାଳ ଗୃହରେ ରହିଥିବା ବେଳେ ୧୯ ଖୋଲା ଆଶ୍ରୟ ଗୃହରେ, ଦୁଇ ଅବଲୋକନ ଗୃହରେ, ୧୮୮ ଅନାଥାଳୟରେ, ୬୬ ଏଜେନ୍ସିଙ୍କ ଦ୍ୱାରା ପୋଷ୍ୟ ନେଇଛି ଓ ୩୯ ଛାତ୍ରାବାସରେ ରହିଛନ୍ତି । କାରୋନା କାଳରେ ଅଭିଭାବକଙ୍କୁ ହରାଇଥିବା ଶିଶୁଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଓଡିଶାରୁ ରହିଛନ୍ତି । ଓଡିଶାରୁ ୨୪,୪୦୫ ଶିଶୁ ରହିଥିବା ବେଳେ ମହାରାଷ୍ଟ୍ରରୁ ୧୯,୬୨୩, ଗୁଜୁରାଟ ୧୪,୭୭୦ରେ ରହିଛନ୍ତି ।