ମୁମ୍ବାଇ: ଜଳିଗଲା ବସ । ୨୬ ଜୀବନ୍ତ ଦଗ୍ଧ । ୩୨ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ଏକ ବସରେ ହଠାତ ନିଆଁ ଲାଗିଯିବାରୁ ୨୬ ଜଣ ଜୀବନ୍ତ ଜଳିଯାଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ମହାରାଷ୍ଟ୍ରରେ । ଶୁକ୍ରବାର ବୀଳମ୍ବିତ ରାତିରେ ମହାରାଷ୍ଟ୍ର ଅନ୍ତର୍ଗତ ‘ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସ୍ୱେ’ରେ ଯାଉଥିବା ଗୋଟାଏ ବସ୍ରେ ନିଆଁ ଲାଗିଯିବାରୁ ପ୍ରାୟ ୨୬ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୭ଜଣ ଆହତ ହୋଇଥିବା କଥା ପୁଲିସ କହିଛି ।
ତାଜା ସୂଚନା ଅନୁସାରେ , ଜଣେ ଆହତଙ୍କ ମୃତ୍ୟୁ ଯୋଗୁଁ ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି ପାଇଛି । ବସ୍ଟି ଯବତମାଲ୍ରୁ ପୁଣେ ଯାଉଥିଲା ବେଳେ ରାତି ପ୍ରାୟ ୨ଟା ବେଳେ ବୁଲଢାଣା ଜିଲ୍ଲାରେ ଅଘଟଣ ଘଟିଥିବା ସୂତ୍ରରୁ ଜଣାପଡିଛି । ବୁଲଢାଣା ଡେପୁଟି ପୁଲିସ କମିସନର୍ ବାବୁରାଓ ମହାମୁନି କହିଛନ୍ତି, ବସ୍ରୁ ୨୫ଟି ଶବ ବାହାର କରାଯାଇଛି। ସେ ବସ୍ରେ ସମୁଦାୟ ୩୩ଜଣ ଲୋକ ଥିଲେ। ୬ରୁ ୮ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ବୁଲଢାଣା ସିଭିଲ୍ ହସ୍ପିଟାଲ୍କୁ ନିଆଯାଉଛି ।
ଡ୍ରାଇଭରଙ୍କ କହିବା ଅନୁସାରେ ଦୁର୍ଘଟଣା ରାତି ପାଖାପାଖି ୧;୨୬ ରେ ହୋଇଥିଲା । ବସର ଟାୟାର ଫାଟିଯିବାରୁ ଡିଭାଇଡରରେ ମାଡ ହୋଇଥିଲା ଓ ପରେ ବସରେ ନିଆଁ ଲାଗିଯାଇଥିଲା । ବସଟି ଓଲଟି ପଡ଼ିଥିବାରୁ ଲୋକଙ୍କୁ ବାହାରକୁ ଆଣିବାରେ ଅସୁବିଧା ହୋଇଥିଲା । ଘଟଣା ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା । ୨୬ ମୃତଦେହ ଚିହ୍ନଟ କରିବା ପାଇଁ ଡିଏନ୍ଏ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି । ସେପଟେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର ।