ନୂଆଦିଲ୍ଲୀ-: ଅପରେସନ ସିନ୍ଦୂର ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ୩ସେନାର ମୁଖ୍ୟ । ବୁଧବାର ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ, ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ବାୟୁସେନା ମୁଖ୍ୟ ଏ.ପି ସିଂହ ଏବଂ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ.ତ୍ରିପାଠୀ ରାଷ୍ଟ୍ରପତିଙ୍କୁ ଭେଟି ଅପରେସନ ସିନ୍ଦୂର ସମ୍ପର୍କରେ ଅବଗତ କରାଇଛନ୍ତି । ରାଷ୍ଟ୍ରପତି ସଶସ୍ତ୍ର ବାହିନୀର ସାହସ ଓ ସମର୍ପଣକୁ ପ୍ରଶଂସା କରି କହିଛନ୍ତି ଆତଙ୍କବାଦ ପ୍ରତି ଭାରତର କାର୍ଯ୍ୟାନୁଷ୍ଠା ଏକ ଚମତ୍କାର ସଫଳତା ।
ତେବେ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିବ । ଅପରେସନ ସିନ୍ଦୂରର ସଫଳତା ପରେ ବସିବାକୁ ଯାଉଥିବା ଏହି ବୈଠକରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ସହିତ ଯୁଦ୍ଧ ବିରତି ପରେ ଏବେ ପାକିସ୍ତାନକୁ ନେଇ ଆଗକୁ ଭାରତର ରଣନୀତି କଣ ରହିବ ସେନେଇ ଆଲୋଚନା ହୋଇପାରେ । ଏହି ବୈଠକରେ ଅପରେସନ ସିନ୍ଦୂର ଅଧୀନରେ ଚାଲିଥିବା ସୁରକ୍ଷା ଅଭିଯାନର ମଧ୍ୟ ସମୀକ୍ଷା କରାଯିବ । ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାର ଅଧିକାରୀମାନେ ମଧ୍ୟ ସାମିଲ ହେବେ ।