ଭୁବନେଶ୍ୱର : ପୁରୁଷ ହକି ବିଶ୍ବକପ ୨୦୨୩ର ଉଦଘାଟନ ସମାରୋହରେ ସାମିଲ ହେବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ । ଏ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯାଉଛି । ପ୍ରାଥମିକ ଭାବେ 3 ଟି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ସୂଚନା ମିଳିଛି ।
ରାଜସ୍ଥାନର ଅଶୋକ ଗେହେଲଟ, ଛତିଶଗଡ଼ର ଭୂପେଷ ବାଘେଲ ଏବଂ ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂହ ସୁଖୁ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜଣାପଡିଛି । ଆସନ୍ତା 11 ତାରିଖରେ କଟକରେ ହେବାକୁ ଥିବା ଉଦଘାଟନୀ ସମାରୋହରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଜାନୁ୍ଆରି 13ରୁ 19 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଓ ରାଉରକେଲାରେ ପୁରୁଷ ହକି ବିଶ୍ବକପର ଆୟୋଜନ ହେବ । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ହକି ବିଶ୍ବକପରେ ଅତିଥି ଭାବେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଓଡ଼ିଶା ସରକାରଙ୍କ ମନ୍ତ୍ରୀମାନେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ ପତ୍ର ପ୍ରଦାନ କରୁଛନ୍ତି ।
ଗତ ସପ୍ତାହରେ ଦିଲ୍ଲୀରେ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କିଙ୍କ ସହ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନ ମନ୍ତ୍ରୀ କିରଣ ରିଜିଜୁ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ପୁରୁଷ ହକି ବିଶ୍ବକପରେ ଅତିଥି ଭାବେ ଯୋଗ ଦେବା ଲାଗି ନିମନ୍ତ୍ରଣ କରିଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଭେଟି ହକି ବିଶ୍ୱକପ ପାଇଁ ନିମନ୍ତ୍ରଣ କରିଛନ୍ତି ।