ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା : ବାପା-ମା’ ମୃତ

0

କଟକ: ବିଷ ପିଇ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଗତକାଲି ରାତିରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ର ମୃତ୍ୟୁ ହୋଇଛି । କଟକ ସିଡିଏର ଏହି ଅଭାବନୀୟ ଘଟଣା ଏବେ ଆଲୋଡ଼ନ ସୃଷ୍ଟି କରିଛି । ଚିକିତ୍ସାଧୀନ ଅବସ୍ଥାରେ ବାପା ଉମାଚରଣ ପଣ୍ଡା ଓ ମା ସରୋଜିନୀ ପଣ୍ଡାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ସୌମ୍ୟ ରଞ୍ଜନ ପଣ୍ଡା ଏବେ ବି ଚିକିତ୍ସାଧୀନ ଅଛନ୍ତି ।

ବାଙ୍ଗାଲୋରର ଏକ ଆଇଟି କମ୍ପାନୀରେ ସଫ୍ଟୱେର ଇଞ୍ଜିନିୟର ଥିଲେ ସୌମ୍ୟ ରଞ୍ଜନ ପଣ୍ଡା। ତାଙ୍କର ପୂରା ପରିବାର ମର୍କତନଗର ସେକ୍ଟର-୬ରେ ଭଡ଼ାରେ ରହୁଥିଲେ। ଗତ ଶୁକ୍ରବାର ସନ୍ଧ୍ୟା ପରଠାରୁ ପରିବାରର ବାହାରକୁ ନ ବାହାରିନଥିଲେ। ଘରମାଲିକଙ୍କର ସନ୍ଦେହ ହେବାରୁ ସ୍ଥାନୀୟ ପୋଲିସକୁ ଜଣାଇଥିଲେ। ପୋଲିସ ସେଠାରେ ପହଞ୍ଚି ଘରର କବାଟ ବାଡ଼େଇଥିଲା, ହେଲେ ଭିତରୁ କୌଣସି ଉତ୍ତର ମିଳି ନଥିଲା।

କବାଟ ଭାଙ୍ଗି ଭିତରେ ପଶିବା ପରେ ମୁମୂର୍ଷୁ ଅବସ୍ଥାରେ ଉମାଚରଣ ପଣ୍ଡା ଓ ସରୋଜିନୀ ପଣ୍ଡା ଏବଂ ଅନ୍ୟ ଏକ କୋଠରୀରେ ସୌମ୍ୟରଞ୍ଜନ ପଡ଼ିଥିଲେ। ସମସ୍ତେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥଲେ। ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲର ଆଇସିୟୁ ରହି ଚିକିତ୍ସିତ ହେଉଥିଲେ।

ତେବେ ଏଥିରେ ବାପା ଓ ମା’ ପ୍ରାଣ ହରାଇଛନ୍ତି। ତେବେ କାହିଁକି ଗୋଟିଏ ପରିବାରର ତିନି ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କଲେ ତାହା ସ୍ପଷ୍ଟ ହୋଇନାହିଁ।