ପୋଲିସ ଗୁଳିରେ ୩ ମାଓବାଦୀ ନିହତ
ଟାପରେଙ୍ଗ-ଲୁବେନଗଡ଼ ଜଙ୍ଗଲରେ ନକ୍ସଲ ଆତଙ୍କ ସୃଷ୍ଟି ହୋଇଛି । ସେଠାରେ ନକ୍ସଲମାନେ କ୍ୟାମ୍ପ କରିଥିବାବେଳେ ପୁଲିସ ସୂଚନା ପାଇ କମ୍ବିଂ ଅପରେସନ କରିଥିଲା
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ଟାପରେଙ୍ଗ-ଲୁବେନଗଡ଼ ଜଙ୍ଗଲରେ ନକ୍ସଲ ଆତଙ୍କ ସୃଷ୍ଟି ହୋଇଛି । ସେଠାରେ ନକ୍ସଲମାନେ କ୍ୟାମ୍ପ କରିଥିବାବେଳେ ପୁଲିସ ସୂଚନା ପାଇ କମ୍ବିଂ ଅପରେସନ କରିଥିଲା । ଆଉ ପୁଲିସ-ନକ୍ସଲ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ନକ୍ସଲଙ୍କ ଗୁଳିର ଜବାବ ଦେଇ ପୁଲିସ ମଧ୍ୟ ଚଳାଇଥିଲା ଗୁଳି । ଏଥିରେ ୩ ଜଣ ନକ୍ସଲ ଟଳିପଡ଼ିଥିଲେ । ତେବେ ନକ୍ସଲଙ୍କ ଗୁଳିରେ ଜଣେ ସିଆରପିଏଫ୍ ଡିଏସପି ଆହତ ହୋଇଥିବା ଜଣାପଡ଼ିଛି । ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି । ମୃତ଼ ନକ୍ସଲଙ୍କ ମଧ୍ୟରେ ଜଣେ ଏରିଆ କମାଣ୍ଡାଣ୍ଟ ମେମ୍ବର ବା ଏରିଆ କମିଟି ମେମ୍ବର(ଏସିଏମ)ରାଙ୍କର ଥିବା ସୂଚନା ମିଳିଛି । ତାଙ୍କ ପାଖରୁ ଏକେ-୪୭ ରାଇଫଲ ମିଳିଥିବାରୁ ସେ ଏସିଏମ ରାଙ୍କର ହୋଇଥିବା କୁହାଯାଉଛି ।
ସୂଚନା ଯୋଗ୍ୟ ଯେ ଟାପରେଙ୍ଗ-ଲୁଵେନଗଡ଼ ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ କରିଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଆଜି ସକାଳେ ମଦନପୁର ଓ ରାମପୁର ଥାନା ପୁଲିସ ଓ ସିଆରପିଏଫ୍ ଯବାନମାନେ ମିଳିତ ଭାବେ ସେହି ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଦୀର୍ଘ ସମୟ ସର୍ଚ୍ଚ ଅପରେସନ ଚାଲିବା ପରେ ନକ୍ସଲଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା । ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଚାଲିଥିବା ବେଳେ ୩ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା । ସେହିପରି ସିଆରପିଏଫର ଜଣେ ଡିଏସପି ଆହତ ହୋଇଛନ୍ତି । ତାଙ୍କ ଦେହରେ ଗୁଳି ବାଜିଛି । ୩ ନକ୍ସଲଙ୍କ ମୃତ୍ୟୁ ଘଟିବା ପରେ ଅନ୍ୟ ନକ୍ସଲମାନେ ସେଠାରୁ ଖସି ପଳାଇଥିଲେ । ଏବେବି ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି । ପ୍ରାପ୍ତ ଖବର ଅନୁଯାୟୀ, ଆଜି ସକାଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୋଟଭଟା ଛକରେ ବିଭିନ୍ନ ପିଲର, ସାଇନ୍ ବୋର୍ଡ ଓ ଦୋକାନ କାନ୍ଥରେ ନକ୍ସଲମାନେ ପୋଷ୍ଟର ଲଗାଇଥିଲେ । ପୋଷ୍ଟରରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବନ୍ଦ ପାଳନ କରିବାକୁ ଆଦ୍ୱାନ ଦେଇଥିଲେ । ୧୨ଦଫା ନେଇ ନକ୍ସଲଙ୍କ ଏହି ପୋଷ୍ଟର ମରାଯାଇଥିଲା । ଏହାପରେ ଏହି ଅଞ୍ଚଳରେ ନକ୍ସଲଙ୍କ ଉପସ୍ଥିତି ଜଣାପଡ଼ିବା ପରେ ପୁଲିସର ଏହି ଅପରେସନ ଆରମ୍ଭ ହୋଇଥିଲା ।