ପୁରୀ: ରଥଯାତ୍ରା ପାଇଁ ପୁରୀ ଅଭିମୁଖେ ବାହାରିଲା ପ୍ରଥମ ରଥକାଠ । ନୟାଗଡ ଦଶପଲ୍ଲାରୁ ପୁରୀ ଅଭିମୁଖେ ଗଡିଛି ରଥକାଠ ବୋଝେଇ ହୋଇଥିବା ୩ଟି ଟ୍ରକ୍। ପ୍ରଥମ ପର୍ଯ୍ୟାୟରେ ୪୮ ଖଣ୍ଡ ଅସନ ଏବଂ ୫୩ ଖଣ୍ଡ ଧଉରା କାଠ ଆସୁଛି ପୁରୀ ଶ୍ରୀମନ୍ଦିର ।
ସରସ୍ୱତୀ ପୂଜା ପୂର୍ବରୁ ରଥଖଳାରେ କାଠ ପହଞ୍ଚିବା ବିଧି ରହିଛି ।ଦଶପଲ୍ଲାର ପୋଖରୀଗୋଚ୍ଛା ଓ ଟାକେରା ସେକନ୍ସରୁ ରଥ କାଠ ପଠାଯାଉଛି। ରଥ ନିର୍ମାଣ ପାଇଁ ଅସନ , ଧଉରା, ଫାସି, ସିମିଳି ପ୍ରଜାତିର ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ପୂର୍ବ ବର୍ଷର ୫୧ ଖଣ୍ଡ କାଠ ବଳକା ରହିଛି । ତେଣୁ ଚଳିତବର୍ଷ ୮୧୪ ଖଣ୍ଡ କାଠର ଆବଶ୍ୟକତା ରହିଛି।ଚଳିତବର୍ଷ ଜୁନ୍ ୨୭ ତାରିଖରେ ରଥଯାତ୍ରା ପାଳନ କରାଯିବ । ଏହି ବର୍ଷ ୧୭୮ ଥର ଲାଗି ରଥ ଟଣାଯିବ । ଲକ୍ଷ ଲକ୍ଷ ଭକ୍ତ ବଡ଼ଦାଣ୍ଡରେ ଏକାଠି ହେବେ ।