ବ୍ୟୁରୋ: ବାରମ୍ବାର ଗଣ ଦୁଷ୍କର୍ମର ଘଟଣା ସାମ୍ନାକୁ ଆସୁଥିବାବେଳେ ଏବେ ପୁଣି ଗଣଦୁଷ୍କର୍ମର ଘଟଣା ସାମ୍ନାକୁ ଆସିଛି । ପରିବାର ଲୋକଙ୍କ ସାମ୍ନାରେ ୩ ମହିଳାଙ୍କୁ ଗଣଦୁଷ୍କର୍ମ । ବୁଧବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି ହରିଆଣାର ପାନିପତରେ । ୪ଜଣ ଅଜଣା ଯୁବକ ଏପରି କାଣ୍ଡ ଘଟାଇଛନ୍ତି । ଅଭିଯୁକ୍ତମାନେ ନିଜ ପାଖରେ ଛୁରି ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ରଖି ଏପରି କାଣ୍ଡ ଭିଆଇଛନ୍ତି । ସେମାନେ ପ୍ରଥମେ ପରିବାରର ଲୋକମାନଙ୍କୁ ଦଉଡ଼ିରେ ବାନ୍ଧି ଦେଇଥିଲେ । ଏବଂ ପରେ ୩ ଜଣ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। ପରେ ମହିଳାମାନେ ପିନ୍ଧିଥିବା ଅଳଙ୍କାରକୁ ଖୋଲି ନେଇ ଯାଇଥିଲେ । ଏବଂ ସେମାନଙ୍କ ପାଖରେ ଥିବା ଟଙ୍କାକୁ ମଧ୍ୟ ନେଇ ଯାଇଥିଲେ ।
ଏହି ଘଟଣା ଯେଉଁ ସ୍ଥାନରେ ଘଟିଥିଲା ସେହି ସ୍ଥାନରୁ ପ୍ରାୟ ୧ କିଲୋମିଟର ଦୂରରେ ଅନ୍ୟ ଜଣେ ବେମାର ମହିଳାଙ୍କ ଉପରେ ବି ଆକ୍ରମଣ ହୋଇଛି। ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳାଙ୍କ ସ୍ବାମୀଙ୍କଠାରୁ ଲୁଟ୍ କରି ଅଭିଯୁକ୍ତମାନେ ଟଙ୍କା ଓ ମୋବାଇଲ୍ ନେଇ ଫେରାର୍ ହୋଇ ଯାଇଛନ୍ତି। ତେବେ ଏହି ୨ଟି ଘଟଣାରେ ସମାନ ଅଭିଯୁକ୍ତ ସମ୍ପୃକ୍ତ କି ନାହିଁ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ସେପଟେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।