ଯୌନ ନିର୍ଯ୍ୟାତନା ଘଟଣାରେ ଦୋଷୀକୁ ମିଳିଲା ଦଣ୍ଡ । ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୁକ୍ତ ପଦ୍ମନାଭ ଜେନାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦୦ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ମାନ୍ୟବର ଅଦାଲତ । ସୂଚନା ମୁତାବିକ ଅଭିଯୁକ୍ତ ପଦ୍ମନାଭ ଜେନା ଗତ ୨୦୧୯ ମାର୍ଚ୍ଚ ୧୮ ତାରିଖରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ନିଜ ପରିବାର ସହ ଭୁବନେଶ୍ୱର ଜାଗମରା ଅଞ୍ଚଳରେ ରୁହନ୍ତି ନାବାଳିକା । ତେବେ ତାଙ୍କ ଅଭିଯୋଗ ଅନୁସାରେ ଅଭିଯୂକ୍ତ ଜଣକ କେହି ନଥିବା ବେଳେ ତାଙ୍କ ଘର ଭିତରକୁ ପ୍ରବେଶ କରିଥିଲେ । ଘରେ ତାଙ୍କ ସାନ ଭାଇ ଥିବା ବେଳେ ତାଙ୍କୁ ଚକୋଲେଟ ଆଣିବା ଲାଗି ବାହାରକୁ ପଠାଇ ପରେ ନାବାଳିକାଙ୍କ ସହ ଜୋରଜବରଦସ୍ତ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ । ପୁଣିଥରେ ସେଠାକୁ ଆସିବା ଏବଂ ଏକଥା କାହା ଆଗରେ ପ୍ରକାଶ ନକରିବା ପାଇଁ ସେ ପିଡିତାଙ୍କୁ ଧମକ ଦେଇ ଖସି ପଳାଇଥିଲେ । ଅଭିଯୁକ୍ତଙ୍କ ଏତାଦୃଶ ବ୍ୟବହାରରେ ଭୟଭୀତ ହୋଇ ପୀଡ଼ିତା ଜଣକ କାନ୍ଦିବାକୁ ଲାଗିଥିଲେ। ପୀଡ଼ିତାଙ୍କ କାନ୍ଦ ଶୁଣି ଗାଧୁଆ ଘରେ ଥିବା ବଡଝିଅ ବାହାରକୁ ଆସିବା ବେଳେ, ଅଭିଯୁକ୍ତଙ୍କୁ ସେଠାରୁ ଖସି ପଳାଇ ଯାଉଥିବାର ଦେଖିବାକୁ ପାଇଥିଲେ । ନାବାଳିକା ପୀଡ଼ିତାଙ୍କ ନିକଟରୁ ଯୌନ ଉତ୍ପୀଡ଼ନ ବିଷୟରେ ଜାଣିବା ପରେ ଅଭିଯୋଗକାରିଣୀ ଏନେଇ ଖଣ୍ଡଗିରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ଉପରୋକ୍ତ ମାମଲାର ବିଚାର କରି ମାନ୍ୟବର ଅଦାଲତ ୧୦ ଜଣ ସାକ୍ଷୀ ଓ ୨୩ ଗୋଟି ପ୍ରଯୁଜ୍ୟ ଦସ୍ତାବିଜ ଗୁଡ଼ିକୁ ଆଧାର କରି ଆସାମୀ ପଦ୍ମନାଭ ଜେନାକୁ ଦଫା-354-A(1)(i) ଆଧାରରେ ୩ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫୦୦୦ ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି । ଜୋରିମନା ଅନାଦେୟ କ୍ଷେତ୍ରରେ ୦୩ ମାସ ଅଧିକ କାରାଦଣ୍ଡ ଲାଗି ମଧ୍ୟ ଆଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ସ୍ବତନ୍ତ୍ର ପବ୍ଲିକ୍ ପ୍ରୋସିକ୍ୟୁଟର ଶ୍ରୀ ରାଜୀବ ସାସମଲ ଓ ଅତିରିକ୍ତ ପବ୍ଲିକ୍ ପ୍ରୋସିକ୍ୟୁଟର ଶ୍ରୀ ବଳରାମ ଦେଓ ପ୍ରମୁଖ ପରିଚାଳନା କରିଥିଲେ ।ସୂଚନାଯୋଗ୍ୟ ଯେ, ଗତବର୍ଷ ସମୁଦାୟ ୯୨ଟି ମାମଲାରେ ଦୋଷୀ ମାନଙ୍କୁ ସଜା ଦିଆଯାଇ ସାରିଥିବା ବେଳେ, ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ତରଫରୁ ଦୋଷୀଙ୍କୁ ସଜା ହୋଇଥିବା ଚଳିତ ବର୍ଷର ଏହା ହେଉଛି ପଞ୍ଚମ ମାମଲା ।