ପାକିସ୍ତାନ କାରାଗାରରେ ୩୦୮ ଭାରତୀୟ ବନ୍ଦୀ

0

ନୂଆଦିଲ୍ଲୀ: ପାକିସ୍ତାନର ବିଭିନ୍ନ କାରାଗାରରେ ୩୦୮ଜଣ ଭାରତୀୟ ବନ୍ଦୀ ଜୀବନ ବିତାଉଛନ୍ତି । ଗତକାଲି ପାକିସ୍ତାନ ସରକାରଙ୍କ ତରଫରୁ ସେଠାରେ ଥିବା ଭାରତୀୟ ଦୂତାବାସକୁ ଏ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଛି । ଏହି ବନ୍ଦୀଙ୍କ ମଧ୍ୟରୁ ୪୨ଜଣ ସାଧାରଣ ନାଗରିକ ହୋଇଥିବା ବେଳେ୨୬୬ଜଣ ମତ୍ସଜୀବୀ ରହିଛନ୍ତି । ଅନ୍ୟପକ୍ଷରେ ଭାରତ ସରକାରଙ୍କ ତରଫରୁ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସକୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ଭାରତୀୟ କାରାଗାରରେ ୪୧୭ଜଣ ପାକିସ୍ତାନୀ ବନ୍ଦୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୪୩ଜଣ ସାଧାରଣ ନାଗରିକ ହୋଇଥିବା ବେଳେ ୭୪ଜଣ ମତ୍ସଜୀବୀ ରହିଛନ୍ତି । ଭାରତର ବିଭିନ୍ନ କାରାଗାରରେ ସଜା ଶେଷ କରିଥିବା ବନ୍ଦୀଙ୍କୁ ମୁକ୍ତି ପାଇଁ ଇତି ମଧ୍ୟରେ ପାକିସ୍ତାନ ସରକାରଙ୍କ ତରଫରୁ ନିବେଦନ କରାଯାଇଥିବା ଜଣାପଡିଛି । ସେହିପରି ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ବନ୍ଦୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ନୂଆଦିଲ୍ଲୀ ତରଫରୁ ଇସଲାମାବାଦକୁ କୁହାଯାଇଛି । ଭାରତ ଓ ପାକିସ୍ତାନର ମତ୍ସଜୀବୀ ଭୁଲ କ୍ରମେ ଅନ୍ୟ ଦେଶର ଜଳସୀମା ମଧ୍ୟକୁ ପ୍ରବେଶ କରି ଧରାପଡିବାର ଏକାଧିକ ନଜିର ରହିଛି ।