୧୦ ବର୍ଷରେ ବ୍ରଜପାତ ନେଇଛି ୩୪୭୫ ଜୀବନ

0

ଭୁବନେଶ୍ୱର (ରିପୋର୍ଟର୍ସ ଟୁଡେ) : ବ୍ରଜାଘାତରେ ବଳି ପଡୁଛନ୍ତି ଗରିବ କୃଷକ, ଚାଷୀ,ଶ୍ରମିକ । ରାଜ୍ୟରେ ପ୍ରତି ବର୍ଷ ବ୍ରଜାଘାତ ରେ ୩୪୮ ଜୀବନ ଯାଉଛି । ବଜ୍ରପାତ ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଉଛି କିନ୍ତୁ ତାହା ଚାଷୀ, ଶ୍ରମିକ, ମାନଙ୍କ ପାଖରେ ଠିକ୍ ସମୟରେ ପହଞ୍ଚିପାରୁ ନାହିଁ । ସ୍ୱତନ୍ତ୍ର ରିଲିଫ୍ ଆୟୁକ୍ତ(ଏସଆରସି)ଙ୍କ ବାର୍ଷିକ ରିପୋର୍ଟ ଅନୁଯାୟୀ ୨୦୧୦-୧୧ ତୁଳନାରେ ୨୦୧୯-୨୦୨୦ରେ ବିଜୁଳି ଘଡ଼ଘଡ଼ି ଜନିତ ମୃତ୍ୟୁହାର ବଢ଼ି ଦୁଇଗୁଣା ହେଲାଣି। ସତର୍କତା ଅଭାବ ଯୋଗୁଁ ମୂଲ୍ୟବାନ ଜୀବନ ଚାଲିଯାଉଛି। ସରକାର ମୃତକଙ୍କ ପରିବାରବର୍ଗଙ୍କୁ ୪ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଇ ବସି ପଡୁଛନ୍ତି; କିନ୍ତୁ କିପରି ମୃତ୍ୟୁହାରକୁ କମ୍ କରାଯାଇ ପାରିବ ସେ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ଏଥିପାଇଁ ରାଜ୍ୟରେ ପ୍ରତିବର୍ଷ ମୃତ୍ୟ ସଂଖ୍ୟା ବଢିବାରେ ଲାଗିଛି । ପୂର୍ବ ବର୍ଷ ଓଡିଶାରେ ୧୪ ଲକ୍ଷ ୮୩ ହଜାର ୩୪୯ ଥର ବଜ୍ରପାତ ହୋଇଥିଲା। ଯାହାକି ଦେଶରେ ସର୍ବାଧିକ। ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗ ଦେଶର ସବୁଠାରୁ ଅଧିକ ବଜ୍ରପାତ ପ୍ରବଣ ଅଞ୍ଚଳ। ତଥ୍ୟାନୁଯାୟୀ ଓଡ଼ିଶାରେ ୨୦୧୯-୨୦୨୦ରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ୩୫୧ ଥିବାବେଳେ ୨୦୧୮-୧୯ରେ ୩୩୨, ୨୦୧୭-୧୮ରେ ୪୬୫, ୨୦୧୬-୧୭ରେ ୩୯୮, ୨୦୧୫-୧୬ରେ ୪୦୦, ୨୦୧୪-୧୫ରେ ୩୦୯, ୨୦୧୩-୧୪ରେ ୩୭୫, ୨୦୧୨-୧୩ରେ ୨୬୫, ୨୦୧୧-୧୨ରେ ୩୫୩ ଏବଂ ୨୦୧୦-୧୧ରେ ୨୨୭ ଜଣଙ୍କ ମୃତ୍ୟୁ ହୋଇଛି । ବାୟୁମଣ୍ଡଳ ପ୍ରଦୂଷଣ ବୃଦ୍ଧି ପାଇବା ଯୋଗୁଁ ବଜ୍ରପାତର ତୀବ୍ରତା ଅଧିକ ରହୁଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି । ବିଭିନ୍ନ ଗବେଷଣାରୁ ଦେଖାଯାଇଛି, ଅରଣ୍ୟ ଅଞ୍ଚଳରେ ବଜ୍ରପାତଜନିତ ମୃତ୍ୟୁ କମ ଏବଂ ପ୍ରଦୂଷଣ ଯୁକ୍ତ ଅଞ୍ଚଳରେ ଅଧିକ। ବଜ୍ରପାତ ସମୟରେ ଲୋକେ ବାହାରେ ଥିଲେ ଗଛମୂଳ, ବିଦ୍ୟୁତ୍ ଏବଂ ଟେଲିଫୋନ ଖୁଣ୍ଟ ତଳେ ରହିବେ ନାହିଁ। ଛତା ଧରିବେ ନାହିଁ। ଯଥା ସମ୍ଭବ ନିରାପଦ ସ୍ଥାନକୁ ଚାଲିଯିବା ଦରକାର ବୋଲି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି ।