(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଜନୈକ ୩୭ ବର୍ଷୀୟ ଭାରତୀୟ ଶିକ୍ଷକ ବିଶ୍ୱର ‘ବିଲିଅନିୟର’ କ୍ଲବ୍ରେ ନିଜକୁ ସାମିଲ କରିଛନ୍ତି । ଏହି ଶିକ୍ଷକ ବାଇଜୁ ରାଭେନ୍ଦ୍ରନ ଏକ ଶିକ୍ଷା ଆପ ପ୍ରଚଳନ କରି ବିଶ୍ୱ ବ୍ୟାପୀ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ବାଇଜୁଙ୍କ ଦ୍ୱାରା ପ୍ରତିଷ୍ଠିତ ମାନସ ସନ୍ତାନ ଭାବେ ପରିଚିତ କମ୍ପାନି ‘ଥିଙ୍କ୍ ଆଣ୍ଡ ଲର୍ନ’ ଚଳିତ ମାସ ଆରମ୍ଭରେ ୧୫୦ ମିଲିୟନ ଆମେରିକୀୟ ଡଳାର କମ୍ପାନୀ ଶ୍ରେଣୀରେ ସାମିଲ ହୋଇଛି ।
ସୂଚନାଯୋଗ୍ୟ, ବାଇଜୁ ରାଭେନ୍ଦ୍ରନ୍ ହେଉଛନ୍ତି ଏକ ଅନ୍ ଲାଇନ୍ ଏଡୁକେସନ ଟେକ୍ନୋଲୋଜି ଫାର୍ମ ‘ବାଇଜୁ’ର ପ୍ରତିଷ୍ଠାତା ଏବଂ ସିଇଓ। ସ୍କୁଲ ଶିକ୍ଷକତାରୁ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ବାଇଜୁ ରାଭେନ୍ଦ୍ରନ୍ ପ୍ରଥମେ ଭାରତୀୟ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ‘ବାଇଜୁ’ ନାମରେ ଏକ ଆପ୍ ପ୍ରସ୍ତୁତ କରିଥିଲେ। ୭ ବର୍ଷ ମଧ୍ୟରେ ୬ ବିଲିୟନ ଆମେରିକୀୟ ଡଳାରର ବ୍ୟବସାୟ କରିବାରେ ସମର୍ଥ ହୋଇଥିଲା। ‘ବାଇଜୁ’ ଆପ୍ର ଏହି ସଫଳତା ପରେ ବାଇଜୁ ରାଭେନ୍ଦ୍ରନ୍ ପ୍ରତିଷ୍ଠା କରିଥିଲେ ଥିଙ୍କ୍ ଆଣ୍ଡ ଲର୍ନ କମ୍ପାନି। ବର୍ତ୍ତମାନ ଶିକ୍ଷା ଗ୍ରହଣ ପାଇଁ ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର ଓ ମୋବାଇଲକୁ ମାଧ୍ୟମ କରିଥିବା ବେଳେ ତାଙ୍କ କମ୍ପାନି ଆଗାମୀ ଭବିଷ୍ୟତରେ ଆହୁରି ଅଧିକରୁ ଅଧିକ ସଫଳତା ଲାଭ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ବାଇଜୁ ରାଭେନ୍ଦ୍ରନ୍।