ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୩ ଘଣ୍ଟାର ନୀତି ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଅପରାହ୍ନ ୫ ଟା ଠାରୁ ରାତ୍ର ୮ ଟା ପର୍ୟ୍ୟନ୍ତ ଶ୍ରୀଜୀଉଙ୍କ ଦର୍ଶନରୁ ବଞ୍ଚିତ ରହିବେ ଶ୍ରଦ୍ଧାଳୁ । ଦ୍ଵି ପ୍ରହର ଧୁପ ସରିବାପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ । ଏହା ଏକ ଗୁପ୍ତ ସେବା ଓ ପ୍ରାୟ ୩ ଘଣ୍ଟାର ନିତି ହୋଇଥିବା କାରଣରୁ ଆଜି ଅପରାହ୍ନ ୫ ଟା ଠାରୁ ରାତ୍ର ୮ ଟା ପର୍ୟ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି । ପରମ୍ପରା ଅନୁଯାୟୀ ବୁଧବାର ଦିନ ବନକ ଲାଗି ହୋଇଥାଏ । ଦି’ପ୍ରହର ଧୂପ ସରିବା ପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖ ଶୃଙ୍ଗାର କରନ୍ତି । ଏହି ନୀତି ସମାପନ ହେବା ପର୍ୟ୍ୟନ୍ତ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହେ । ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ ।