ଗୋଟିଏ ରାତିରେ ୩ଟି ସିରିଜ ଚୋରି

0

ସୁବର୍ଣ୍ଣପୁର -: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ବାରମ୍ବାର ଚୋରି ହେଉଛି । ଦୁର୍ବୃତ୍ତ ମାନେ ଖୋଲାଖୋଲି ଚୋରି କରୁଥିବା ବେଳେ ପୁଲିସ ଚୋରଙ୍କ ଟେର ପାଉନି । ଗତ ମାସରେ ବିନିକା ଥାନା ସମ୍ମୁଖ ସବ୍ ପୋଷ୍ଟ ଅଫିସରୁ କିଛି ଦୁର୍ବୃତ୍ତ ଚୋରି ଉଦ୍ୟମ କରି ୬ଟି ଦୋକାନର ତାଲା ଭାଙ୍ଗି ଦେଇଥିବା ବେଳେ କିଛି ଦିନ ତଳେ ସହରର ସିଦ୍ଧି ବିନାୟକ ନଗରରେ ରାତି ଅଧାରେ ଜଣଙ୍କ ଘରେ ପଶି ଟଙ୍କା ଏବଂ ସୁନା ଅଳଙ୍କାର ଚୋରି କରି ନେଇ ଯାଇଥିଲେ । ବିନିକା ସହର ସମେତ ଅନ୍ୟାନ୍ୟ ସ୍ଥାନରେ ଥିବା ସାପ୍ତାହିକ ବଜାର ଅଞ୍ଚଳରେ ବାଇକ୍ ରଖି ଆଖପାଖରେ କାମ କରିବା ବି ସେତେଟା ସୁରକ୍ଷିତ ନୁହେଁ ।

ଗତ କଲି ବିଳମ୍ବିତ ରାତିରେ ସିନ୍ଦୁରପୁର ଗାଁରେ ୩ ଜଣ ବ୍ୟକ୍ତିଙ୍କ ଘରୁ ୫ଟି ମୋବାଇଲ ସହିତ ଏକ ଇଣ୍ଡକ୍ସନ ଚୁଲା ଓ ଘରର ଅନେକ ଆସବାବ ପତ୍ର ଓ ବାସନ କୁସନ ଚୋରି ହୋଇଥିବା ସୂଚନା ମିଳିଛି । ଗୋଟିଏ ରାତିରେ ଏଭଳି ୩ଟି ସିରିଜ ଚୋରି ଘଟଣା ଘଟିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଛନକା ପଶିଛି । ବିନିକା ଥାନା ଅଞ୍ଚଳର ଅନେକ ସ୍ଥାନରେ ଏଭଳି ଘଟଣା ଘଟି ଚାଲିଥିବା ନେଇ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମହଲରେ ଉଦବେଗ ପ୍ରକାଶ ପାଇଛି ।

ଅଞ୍ଚଳରେ ଏଭଳି ଚୋରି ଘଟଣାକୁ ନେଇ ଲୋକେ ପୁଲିସର ନିଷ୍କ୍ରିୟତାକୁ ଦାୟି କରିଛନ୍ତି । ଘଟଣାକୁ  ନେଇ ସିନ୍ଦୁରପୁର ଗ୍ରାମର ରଞ୍ଜିତ ପଣ୍ଡା, ରଞ୍ଜିତ ବାଗ ଏବଂ ପ୍ରଦୋଷ ପଣ୍ଡା ବିନିକା ଥାନାକୁ ଆସି ଲିଖିତ ଏତଲା ଦାଏର କରିଛନ୍ତି ଏବଂ ପୁଲିସ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି ।