ରକ୍ତ ଥଳିରେ ଭୁଲ୍ ରକ୍ତ ଥିବା ଅଭିଯୋଗରେ କଟକର କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାରର ୪ କର୍ମଚାରୀଙ୍କୁ ନିଲମ୍ବନ

0

କଟକ : ରକ୍ତ ଥଳିରେ ଭୁଲ୍ ରକ୍ତ ଥିବା ଅଭିଯୋଗ ଆସିବା ପରେ କଟକର କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାରର ୪ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏହି କର୍ମଚାରୀମାନେ ରକ୍ତ ଭଣ୍ଡାରରେ ଟେକ୍ନିସିଆନ ଭାବେ କାର୍ୟ୍ୟ କରୁଥିବାବେଳେ ଏମାନେ କ”ଣ ପାଇଁ ଏପରି କାମ କରିଛନ୍ତି ଅସ୍ପଷ୍ଟ ରହିଛି । ସେପଟେ ଏହି ଘଟଣାରେ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ରକ୍ତ ଭଣ୍ଡାରର ନିର୍ଦ୍ଦେଶକ ଡା. ଚନ୍ଦ୍ରିକା ପ୍ରସାଦ ଦାସ ।
ମଙ୍ଗଳବାର ଭଗତପୁର ଅଞ୍ଚଳର ୭୪ବର୍ଷୀୟ ବିଭୂତିଭୂଷଣ ଜେନାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଯୋଗୁଁ ତାଙ୍କୁ ଝୋଲାସାହି ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରରେ ହିମୋଗ୍ଲୋବିନର ମାତ୍ରା କମ ଥିବାରୁ ରକ୍ତର ଆବଶ୍ୟକ ଥିବା ଡାକ୍ତର କହିଥିଲେ। ବିଭୂତିଙ୍କ ଶରୀରରେ ଏ-ପଜିଟିଭ ରକ୍ତ ଆବଶ୍ୟକତା ଥିବାରୁ କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାରରେ ପହଞ୍ଚିଥିଲେ ପରିବାର ଲୋକେ। ଆଉ ଏ-ପଜିଟିଭ ଲେଖାଥିବା ଏକ ରକ୍ତ ଥଳି ଆଣିଥିଲେ।
ଏହି ରକ୍ତ ଧରି ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିବା ପରେ ବିଭୂତିଙ୍କ ଶରୀରରେ ଏହି ରକ୍ତକୁ ସଂଯୋଗ କରାଯାଇଥିଲା। ରକ୍ତ ଦେବାର କିଛି ସମୟ ମଧ୍ୟରେ ବିଭୂତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଏହା ଦେଖି ନର୍ସିଂହୋମ କର୍ତ୍ତୃପକ୍ଷ ରକ୍ତ ପ୍ରଦାନ ବନ୍ଦ କରି ଦେଇଥିଲେ। ସନ୍ଦେହ ହେବାରୁ ସେହି ରକ୍ତ ୟୁନିଟର ଯାଞ୍ଚ କରାଯାଇଥିଲା। ପରୀକ୍ଷା କରାଯିବାରୁ ଏହା ବି-ପଜିଟିଭ ରକ୍ତ ବୋଲି ଜଣାପଡ଼ିଥିଲା। କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାର କର୍ତ୍ତୃପକ୍ଷଙ୍କ ଖାମଖିଆଲ ଯୋଗୁଁ ଏଭଳି ଘଟଣା ଘଟିଥିବା ନେଇ ବିଭୂତିଙ୍କ ପରିବାର ଲୋକେ ଅଭିଯୋଗ ଉଠାଇଥିଲେ। ନିରାମୟ ଉପଦେଷ୍ଟା ଡା. ରଞ୍ଜନ ବିଶ୍ୱାଳଙ୍କ ପରାମର୍ଶକ୍ରମେ ରେଡକ୍ରସ ସଚିବ ବିଭୂତି ମହାପାତ୍ର ଏକ ତଦନ୍ତ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କମିଟି ତଦନ୍ତ କରି ପ୍ରାଥମିକ ସ୍ତରରେ ୪ କର୍ମଚାରୀଙ୍କୁ ନିଲମ୍ବନ କରିଛି।