ପୁରୀ: ଆସନ୍ତାକାଲି ହେବ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର । ପବିତ୍ର ମାର୍ଗଶୀର-ଶୁକ୍ଳ ଅଷ୍ଟମୀ ତିଥି ଶ୍ରୀ ବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ । ଏହି ସମୟରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । କିନ୍ତୁ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନର ସୌଭାଗ୍ୟ ପାଇବେ ଭକ୍ତ ଶ୍ରଦ୍ଧାଳୁ ।ଏହି ସ୍ୱତନ୍ତ୍ର ନୀତି ପାଇଁ ଭକ୍ତମାନେ ଅପରାହ୍ଣ ୪ରୁ ରାତ୍ର ୮ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି ।
ସୂଚନା ଅନୁଯାୟୀ ଅପରାହ୍ଣରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ। ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ । ପାଳିଆ ପୂଜାପଣ୍ଡା, ପାଳିଆ ଖୁଣ୍ଟିଆ, ଗରାବଡ଼ୁ, ପାଳିଆ ପୁଷ୍ପାଳକ, ଚାଙ୍ଗଡ଼ା ମେକାପ, ମୁଦୁଲି ଆଦି ସେବକଙ୍କର ମଧ୍ୟ ଏହି ନୀତି ସମ୍ପାଦନରେ ଭୂମିକା ରହିଛି । ଉକ୍ତ ଦିନର ଠାକୁରଙ୍କ ସେବାପୂଜାର ନୀତି ନିର୍ଘଣ୍ଟକୁ ନେଇ ବନକଲାଗି ସମୟ ଧାର୍ଯ୍ୟ ହେବ ବୋଲି ସୂଚନା ରହିଛି।