ତିରୁବନନ୍ତପୁରମ: କେରଳ ବିଧାନସଭାର ବଜେଟ ଅଧିବେଶନ ଚାଲିଥିବା ବେଳେ ୪ ଜଣ ବିଧାୟକ କୋଭିଡ ୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ନେୟ୍ୟାଟିଙ୍କରା ବିଧାୟକ କେ ଅନସାଲାନ, କୋୟିଲଣ୍ଡି ବିଧାୟକ ଦସନ, କୋଲାମ ବିଧାୟକ ଏମ ମୁକେଶ ଓ ପିରୁମାଡେ ବିଧାୟକ ଇ ଏସ ବିଜିମୋଲ ରହିଛନ୍ତି । ବିଧାନ ସଭା ଚାଲିଥିବା ବେଳେ ଏହି ଚାରି ବିଧାୟକ କୋଭିଡ ପଜିଟିଭ ଚିହ୍ନଟ ହେବା ସରକାରଙ୍କୁ ଚିନ୍ତାରେ ପକାଇଦେଇଛି ।
ଦୁଇ ଦିନ ପୂର୍ବେ କୋଭିଡ-୧୯ରେ ପ୍ରଥମେ ଇଏସ ବିଜିମୋଲ ଚିହ୍ନଟ ହୋଇଥିଲେ । ଏବେ ସେ ତାଙ୍କ ଗୃହ ସହରରେ କ୍ୱାରେଣ୍ଟାଇନରେ ଅଛନ୍ତି । ସେହିପରି ଦଶନ ସ ଅନସଲାନ ତିରବନନ୍ତପୁରମ ମେଡିକାଲ କଲେଜରେ ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସିତ ହେଉଥିବା ବେଳେ ମୁକେଶ ତାଙ୍କ ଘରେ କୋଲାମରେ କ୍ୱାରେଣ୍ଟାଇନରେ ଅଛନ୍ତି । କୋଭିଡ ପରିସ୍ଥିତି ମଧ୍ୟରେ ବିଧାନସଭା ଚାଲିଥିବାରୁ ସରକାର ବିଭିନ୍ନ ପ୍ରତିଶେଧକମୂଳକ ପଦକ୍ଷେପ ନେଇଥିଲେ । ବିଧାନସଭାରେ ଉପସ୍ଥିତ ହେବାକୁ ସମସ୍ତ ବିଧାୟକ, ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଆଣ୍ଟିଜେନ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଥିଲା ।