ଭୁବନେଶ୍ଵର: ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର। ଜଳଲାଗି ପାଇଁ ଶିବ ମନ୍ଦିରରେ କାଉଡିଆଙ୍କର ଭିଡ ଲାଗିଛି। ବୋଲବମ୍ ନାରା ଗଗନପବନ ପ୍ରକମ୍ପିତ ହେଉଛି। ସକାଳୁ ସକାଳୁ ଧାଡ଼ିବାନ୍ଧି ଯାଇ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରି ଆଶିଷ ଭିକ୍ଷା କରୁଛନ୍ତି ଭକ୍ତ।
ପ୍ରଭୁ ଲିଙ୍ଗରାଜ, ବାବା ଧବଳେଶ୍ୱର, ବାବା ଆଖଣ୍ଡଳମଣି ଓ ପୁରୀର ବାବା ଲୋକନାଥ ପୀଠ ସବୁଠି ହଜାର ହଜାର କାଉଡ଼ିଆଙ୍କ ସମାଗମ ହୋଇଛି। ନିଜ ନିଜର ମନୋସ୍କାମନା ପୂରଣ ଲାଗି ଦେବଦେବ ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି କାଉଡ଼ିଆ। ବୋଲ୍ ବମ୍ ନାରାରେ କମ୍ପୁଛି ମନ୍ଦିର ପରିସର।
ଶ୍ରାବଣ ମାସରେ ମହାଦେବଙ୍କୁ ଜଳ ଲାଗି ଗଲେ ମାନସିକ ପୂରଣ ହୁଏ ବୋଲି ପୌରାଣିକ ବିଶ୍ୱାସ ରହିଛି। ସେଥିପାଇଁ ଜଳ ଲାଗି କରିବାକୁ ଯାଉଥିବା କାଉଡ଼ିଆ ମାସକ ପୂର୍ବରୁ ରୀତିନୀତି ପାଳନ କରିଥାନ୍ତି। ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ଶୈବପୀଠ ଗୁଡ଼ିକରେ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।