ଯମୁନା ନଦୀ ପାଣିରେ ବୁଡି ୫ ମୃତ, ୫ ଗୁରୁତର

ବ୍ୟୁରୋ: ନଦୀରେ ଗାଧୋଉଥିବାବେଳେ ପାଣିରେ ବୁଡି ୫ ମୃତ, ୫ ଗୁରୁତର । ଏଭଳି ଅଘଟଣ ଘଟିଛି ହରିୟାଣାର ଯମୁୁନାନଗରରେ। ଯମୁନା ନଦୀରେ ମିଶିଥିବା ୱେଷ୍ଟର୍ଣ୍ଣ କେନାଲକୁ ୧୦ ଜଣ ଯୁବକ ଗାଧୋଇବାକୁ ଯାଇଥିବାବେଳେ ୫ଜଣ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ପ୍ରାଣ ବଞ୍ଚାଇବାକୁ ୫ଜଣ ଯୁବକ ପାଣି ଭିତରକୁ ଡେଇଁପଡିଥିଲେ । ଫଳରେ ନଦୀର ପ୍ରଖର ପାଣିରେ ଭାସିଯାଇଥିଲେ । ହେଲେ ଅନ୍ୟ ୫ଜଣ ପାଣିରୁ ବାହାରିଆସି ଲୁଚିଯାଇ ନିଜ ଜୀବନ ବଞ୍ଚାଇବାକୁ ସମର୍ଥ ହୋଇଥିବା ସୂଚନା ମିଳିଛି ।

୫ଜଣ ପାଣିରେ ବୁଡିଯିବା ପରେ ଲୁଚିଯାଇଥିବା ଯୁବକମାନେ ନିଜ ନିଜ ପରିବାର ଲୋକଙ୍କୁ ଖବର ଦେବା ସହ ପୋଲିସକୁ ଜଣାଇଥିଲେ । ଫଳରେ ତୁରନ୍ତ ଘଟଣାସ୍ଥଳରେ ପୋଲିସ ଓ ଓଡ୍ରାଫ ଟିମ୍ ପହଞ୍ଚି ଖୋଜାଖୋଜି କରିବାକୁ ୫ଜଣଙ୍କ ମୃତଦେହ ପାଣିରୁ ଉଦ୍ଧାର ହୋଇଥିଲା । ପୂର୍ବ ଶତ୍ରୁତାରୁ ଏପରି ଘଟଣା ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି । ପୋଲିସର କହିବା ମୁତାବକ, ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ୨ ବର୍ଷ ତଳୁ ବିବାଦ ଲାଗି ରହିଥିଲା । ଏହି ମାମଲା ଏବେବି କୋର୍ଟରେ ବିଚାରାଧିନ ରହିଛି । ହେଲେ ତା’ ପୂର୍ବରୁ ଏପରି ଅଭାବନୀୟ ଘଟଣା ସ୍ଥାନୀୟ ଇଲାକାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏବେ ଦୁର୍ବୃତ୍ତମାନେ ଫେରାର ଅଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।