ବିଳମ୍ଭରେ ଚିକିତ୍ସା ପାଇଁ ଆଖି ବୁଜିଲା ମାଇହାତୀ | ଛଆ ମାସରେ ୫ ହାତୀର ମୃତ୍ୟୁ |

0

ଭଞ୍ଜନଗର : ଦୀର୍ଘ ୫ ଦିନ ଧରି ବଞ୍ଚିବା ପାଇଁ ଜୀବନ ସହ ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଜିଲା ଅସୁସ୍ଥ ହାତୀ। ଗଞ୍ଜାମ ଜିଲ୍ଲା ଅଧୀନ ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଗାଲେରୀ ବନାଞ୍ଚଳ ବଦାଙ୍ଗୀ ସେକ୍ସନ୍ର ଲେଙ୍ଗଡା ଗ୍ରାମ ନିକଟ ଚାଷ ଜମିରେ ହାତୀଟି ଗତ ଶୁକ୍ରବାର ଦୀର୍ଘ ସମୟ ଧରି ଚଳପ୍ରଚଳ ହେଉନଥିବା ଦେଖିବାକୁ ମିଳିଥିଲା। ଅସୁସ୍ଥ ଅବସ୍ଥାରେ ହାତୀଟି ଠାବ ହେବା ପରେ ସ୍ଥାନୀୟ ଚିକିତ୍ସକଙ୍କ ସହ ନନ୍ଦନକାନନରୁ ଏକ ଡାକ୍ତରୀ ଟିମ୍ ଆସି ଚିକିତ୍ସା କରି ଫେରିଥିଲେ। ପାଟିରେ ସଂକ୍ରମଣ ଯୋଗୁ ଖାଦ୍ୟ ଗ୍ରହଣ କରି ନପାରି ଦୁର୍ବଳ ହେବା ସହ ହାତୀଟି ମାଈ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଆଜି ମୃତ୍ୟୁ ପରେ ହୋଇଥିବା ବ୍ୟବଚ୍ଛେଦରେ ମାଖନା ହାତୀ ବୋଲି ଜଣାପଡିଥିବା ଡିଏଫ୍ଓ ସୁଦର୍ଶନ ବେହେରା ପ୍ରକାଶ କରିଛନ୍ତି। ହାତୀଟିର ବୟସ ୧୦ ରୁ ୧୨ ବର୍ଷ ହେବ ବୋଲି ସେ କହିଥିବା ବେଳେ ନନ୍ଦନ କାନନର ଡାକ୍ତରଙ୍କ ଠାରୁ ଆରମ୍ଭ କରି କିଭଳି କେହି ମାଖନା ହାତୀ ବୋଲି ଜାଣି ପାରିଲେ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପଡୋଶୀ ନୟାଗଡ ଜିଲ୍ଲାର ଦଶପଲ୍ଳା କିମ୍ବା ଅନ୍ୟ ବନାଞ୍ଚଳରୁ ଉକ୍ତ ହାତୀଟି ପଲରୁ ଅଲଗା ହୋଇ ଏଠାକୁ ଚାଲି ଆସିଥିବା ବିଭାଗ ଅନୁମାନ କରାଯାଉଥିବା ଶ୍ରୀ ବେଳହେରା କହିଥିଲେ। ଏହାପରେ ନନ୍ଦନକାନନରୁ ଡା.ସନ୍ତୋଷ ଗୁପ୍ତାଙ୍କ ନେତୃତ୍ବରେ ଡାକ୍ତରୀ ଟିମ୍ ସେଠାକୁ ଯାଇ ହାତୀକୁ ଟ୍ରାଙ୍କୁଲାଇଜ କରିବା ପରେ ହାତୀର ଚିକିତ୍ସା କରିବା ସମୟରେ ତାର ପାଟିରେ ସଂକ୍ରମଣ ହେବା ସହ ପୋକ ହୋଇଯାଇଥିବା ଦେଖିବାକୁ ପାଇଥିଲେ। ସେହିଦିନ ଔଷଧ ଓ ସାଲାଇନ୍ ଦେବା ପରେ ଟିମ୍ ଫେରି ଯାଇଥିଲେ। ନିୟମିତ ଫଳରେ ଔଷଧ ଦିଆଯିବା ପରେ ମଧ୍ୟ କୌଣସି ଉନ୍ନତି ପରିଲିକ୍ଷିତ ହୋଇ ନଥିଲା। ଶେଷରେ ଆଜି ହାତୀର ମୃତ୍ୟୁ ଘଟିବା ପରେ ଭୂବନେଶ୍ବରରୁ ଏକ ସ୍ବତନ୍ତ୍ର ଯୁଗ୍ମ ଟାସ୍କ୍ ଫୋର୍ସ ଟିମ୍ ଆସି ପହଞ୍ଚି ତଦନ୍ତ କରିବା ପରେ ହାତୀର ବ୍ୟବଚ୍ଛେଦ କରି ସେଠାରେ ପୋତି ଦିଆଯାଇଥିଲା। ବିଭିଓ ନିଶିକାନ୍ତ ବଳ,ଏସିଏଫ୍ ବିକ୍ରମ ଦେବ ପଟ୍ଟନାୟକ,ପ୍ରାକ୍ତନ ରେଞ୍ଜର ଅନୁପମ ବାନାର୍ଜି,ଶୂଳପାଣି ଶତପଥୀ,ରେଞ୍ଜର ଶିବରାମ ନାୟକ,କୁମର ବେହେରା,ବନପାଳ ଅଭିମନ୍ୟୁ ମଲ୍ଲିକ,ବବୁଲ ସେଠୀଙ୍କ ସମେତ ବନ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

ଗତ ଜୁଲାଇ ମାସରୁ ଆଜି ପର୍ଯ୍ୟନ୍ତ ଉତ୍ତର ଘୁମୁସର ବନଖଣ୍ଡରେ ୫ଟି ହାତୀର ମୃତ୍ୟୁ ଘଟିଛି। ଜୁଲାଇ ମାସ ମୁଜାଗଡ ବନାଞ୍ଚଳର କାନବିନ୍ଧା ଜଙ୍ଗଲ ଏବଂ ଜଗନ୍ନାଥପ୍ରସାଦ ବନାଞ୍ଚଳ ବେଲଗୁଣ୍ଠା ବିଟ୍ର କନ୍ଧନୂଆପଲ୍ଲୀ ଠାରେ ୨ଟି ଦନ୍ତାହାତୀର ମୃତ୍ୟୁ ଘଟିବା ପରେ ଦୁବୃର୍ତ୍ତ ମାନେ ଦାନ୍ତ କାଟି ନେଇଥିଲେ। ଏହାପରେ ବିଭାଗ ଉଭୟ ମାମଲାରେ କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହାପରେ ତାରସିଂ ବନାଞ୍ଚଳର ଗାୟଗଣ୍ଡା ସେକ୍ସନ୍ର ରାମ୍ପୁ ଗ୍ରାମ ଠାରୁ ୮କିମି ଦୂର ଜଙ୍ଗଲ ଭିତରେ ଚିଟିକାପାଦୁ ଇଲାକାଲରେ ଆଉ ଏକ ଦନ୍ତାର ଅସୁସ୍ଥତା କାରଣରୁ ମୃତ୍ୟୁ ଘଟିଥିବା ବିଭାଗ କହିଥିଲା। ଗତମାସରେ ତାରସିଂ ବନାଞ୍ଚଳର ମାଣପୁର ବିଟ୍ରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିବା ବେଳେ ଆଜି ପୁଣି ଆଉ ଏକ ହାତୀର ମୃତ୍ୟୁ ସେମାନଙ୍କ ସୁରକ୍ଷା ପ୍ରତି ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି |