(ରିପୋର୍ଟସଟୁଡେ): ପୁଣି ସାମ୍ନାକୁ ଆସିଛି ଦାଦନ ଶ୍ରମିକର ଦୁଃଖ କାହାଣୀ । ତେଲେଙ୍ଗାନାରେ ଫସିଛନ୍ତି ୩୫ଜଣ ଓଡିଆ ଶ୍ରମିକ । ସେମାନଙ୍କୁ ନା ମିଳୁଛି କାମର ପାଉଣା ନା ମିଳୁଛି ଖାଦ୍ୟ । ଫେରିଯିବାକୁ କହିଲେ ମିଳୁଛି ଖାଲି ମାଡ । ଭିଡିଓ ମାଧ୍ୟମରେ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି ଏହି ଶ୍ରମିକମାନେ ।
ସୂଚନାନୁସାରେ, ବରଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳର ଯୋଗରନ୍ଦ୍ରନାଥପୁର ଗ୍ରାମର ୩୫ଜଣ ଶ୍ରମିକ ଗତ ବର୍ଷ ଡିସେମ୍ବର ତେଲେଙ୍ଗାନା ପେଟାପଲ୍ଲୀର ଇଟାଭାଟିକୁ କାମ କରିବାକୁ ଯାଇଥିଲେ । ତେଲେଙ୍ଗାନା ପାଇଦାପାଳି ଜିଲ୍ଲା ପାଣ୍ଡୁଲ୍ଲାପଊଲ୍ଲୀ ଗ୍ରାମରେ କିଛି ଦିନ କାମ କରିବା ପରେ ଇଟାଭାଟି ମାଲିକ ମଜୁରୀ ଦେଉ ନାହିଁ । ଖାଇବାକୁ ମାଗିଲେ ମାଡ଼ ମାରୁ ଥିବା ବେଳେ ଘରକୁ ଫେରିଯିବାକୁ ଛାଡ଼ୁ ନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । “ପେଟ ପୋଷିବାକୁ ପରିବାର ଧରି ତେଲେଙ୍ଗାନା କାମ କରୁଛୁ । କିନ୍ତୁ ଇଟା ଭାଟିରେ ମାଲିକର ନିର୍ୟ୍ୟାତନା ସହି ହେଉ ନାହିଁ । ଓଡ଼ିଶା ସରକାର ଆମକୁ ଏଠାରୁ ବଞ୍ଚାଇ ଫେରାଇ ନେଇଯାଅ’ । ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ ଫସି ରହିଥିବା ଶ୍ରମିକ ଓଡ଼ିଶା ଫେରିବାକୁ ଭିଡ଼ିଓ ମାଧ୍ୟମରେ ଏପରି ଆକୁଳ ନିବେଦନ କରିଛନ୍ତି ।