(ଶିଳାସ୍ମିତା ରାୟ) ଭୁବନେଶ୍ୱର: ୫ ବର୍ଷ ତଳେ ରାଉରକେଲାର ଗୋପବନ୍ଧୁପାଲ୍ଲୀ ବସ୍ତିରୁ ନିଖୋଜ ଥିବା ନାବାଳକକୁ ରାଉରକେଲା ପୁଲିସ ଉଦ୍ଧାର କରିଛି । ନାବାଳକକୁ ସେକ୍ଟର ୧ରେ ଥିବା ଏକ କୁକୁର ଫାର୍ମାରୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି ପୁଲିସ । ପିଲାଟିକୁ ଦୁଇ ଜଣ ଲୋକ ସେଠାରେ ଲୁଚାଇ ରଖି ଘର କାମରେ ନିୟୋଜିତ କରିଥିଲେ ।
ସୂଚନା ଅନୁଯାୟୀ, ସେକ୍ଟର ୧ ର କ୍ଵାଟର ବି-୪୯ରେ ଦୁଇଜଣ କୁକୁର ଫାର୍ମ ଚଳାଉଥିଲେ । ସେଠାରେ ପିଲାଟିକୁ କାମରେ ନିୟୋଜିତ କରାଯାଇଥିଲା । ତାକୁ କେବେ ବାହାରକୁ ବାହାର କରାଯାଉ ନ ଥିଲା । ସେ ଏକ ପ୍ରକାରର ବନ୍ଦୀ ଜୀବନ ବିତାଉଥିଲା । ତେବେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଫାର୍ମ ଉପରେ ଚଢାଉ କରି ଉକ୍ତ ନାବାଳକକୁ ଉଦ୍ଧାର କରିଛି । ନାବାଳକକୁ ୧୨ ବର୍ଷ ହେବ । ଉଭୟ ତାକୁ କୁକୁରର ଯତ୍ନରେ ନିୟୋଜିତ କରିବା ସହ ନାନା ନିର୍ଯାତନା ଦଆଯାଉଥିଲା । ତାର ସାରା ଶରୀରରେ ମାଡ ଓ ଚେଙ୍କ ଦାଗ ପୁଲିସ ଦେଖିବାକୁ ପାଇଛି । ଏହି ମାମଲାରେ ପୁଲିସ ମଧ୍ୟ ଦୁଇ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।
ସୂଚନା ଯୋଗ୍ୟ, ୫ ବର୍ଷ ପୂର୍ବେ ଉକ୍ତ ନାବାଳକ ନିଖୋଜ ହୋଇ ଯାଇଥିଲା । ଏଥିନେଇ ଥାନାରେ ଅଭିଯୋଗ ହୋଇଥିଲା ଓ ପୁଲିସ ପିଲାଟିକୁ ବହୁତ ଖୋଜାଖୋଜି କରିଥିଲା । କିନ୍ତୁ ତାର କୌଣସି ସନ୍ଧାନ ମିଳି ନ ଥିଲା ।