ଭଡା ଘରେ ରହୁଥିବା ଲୋକଙ୍କ ପାଇଁ ବେଙ୍ଗାଲୁରୁ ସହର ଦୁଃସ୍ୱପ୍ନ ପାଲିଟିଛି । କାରଣ ଏଠାକାର ଘର ଭଡା ଦାମ୍ ଏତେ ବଢି ଯାଇଛି ଯେ ମାତ୍ର ୨ଟି ବେଡ୍ ରୁମ୍ ଥିବା ଘରର ଭଡା ପ୍ରାୟ ୫୦ ହଜାର ଟଙ୍କା ଛୁଇଁଛି । ଗତ ଏକ ବର୍ଷ ହେବ ଏପରି ରେଟ୍ ବଢି ଯାଇଛି । ଫଳରେ ଭଡାଟିଆଙ୍କ ପାଇଁ ବେଙ୍ଗାଲୁରୁ ସହରର ଏକ ଖରାପ ସ୍ଥାନ ପାଲିଟ ଯାଇଛି । ଭାରତର ସିଲିକନ୍ ସିଟି ବା ଆଇଟି ସିଟି ଭାବେ ଜଣାଶୁଣା ଏହି ସହରରେ ବହୁ ଆନ୍ତର୍ଜାତୀୟ ସ୍ତରର ଆଇଟି କଂପାନୀ ରହିଛି । ଫଳରେ ଏଠାରେ ଚାକିରି କରୁଥିବା ଯୁବକ ଯୁବତୀ ମାସକୁ ଲକ୍ଷାଧିକ ଟଙ୍କା ଦରମା ପାଇଥାନ୍ତି । ଏଥି ପାଇଁ ସ୍ଥାନୀୟ ଘର ମାଲିକ ଏତେ ଚଢା ଦାମରେ ଘର ଭଡା ଡିମାଣ୍ଡ କରୁଛନ୍ତି । ଏବେ ମୁମ୍ବାଇ ଅପେକ୍ଷା ବେଙ୍ଗାଲୁରୁ ସବୁଠାରୁ ଅଧିକ ଘର ଭଡା ଦାମ ରହିଛି । ପ୍ରପର୍ଟି କନସଲଟାନ୍ସିଂ ସଂସ୍ଥା ଆନାରକର ରିସର୍ଚ୍ଚ ମୁଖ୍ୟ ପ୍ରଶାନ୍ତ ଠାକୁରଙ୍କ ମତରେ କୋଭିଡ୍ ବେଳେ ସମସ୍ତେ ନିଜ ଘରକୁ ଚାଲି ଯିବାରୁ, ସହରରେ ଘର ଭଡା ଶସ୍ତା ହୋଇ ଯାଇଥିଲା । ତେବେ ସ୍ଥିତି ସ୍ୱଭାବିକ ହେବାରୁ ପୁଣି ଭଡାଟିଆ ସହରକୁ ଫେରିଛନ୍ତି ଓ ଘର ଭଡାଦାମ ଆକାଶ ଛୁଆଁ ହୋଇଛି । ଘର ଭଡା ପାଇବାକୁ ଭଡାଟିଆଙ୍କୁ ବହୁ କସରତ କରିବାକୁ ପଡୁଛି । ସେଥି ପାଇଁ ସେମାନେ ଏଜେଣ୍ଟ ସହ କିଛି ଅନ୍ ଲାଇନ୍ ସର୍ଭିସ ସଂସ୍ଥାର ସହଯୋଗ ନେଉଛନ୍ତି । ବେଙ୍ଗାଲୁର ସହରର ହ୍ୱାଇଟ୍ ଫିଲ୍ଡ. ଆଉଟର ରିଙ୍ଗ ରୋଡରେ ଘର ଭଡା ସର୍ବାଧିକ ରହିଛି । ଯେଉଁମାନେ ଘର ଭଡା ପାଇ ଯାଉଛନ୍ତି ସେମାନେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି । ଆଉ କିଛି ଘର ମାଲିକ ଅଧିକ ଘର ଭଡା ଆଶାରେ ଅତି ଛୋଟ କୋଠରୀ ନିର୍ମାଣ କରି ସେଠାରେ ମାତ୍ର ଖଟ ଟେବୁଲ ପଡିବା ଭଳି ଜାଗାରେ ରୁମ୍ କରି ଭଡା ଦେଉଛନ୍ତି ।