ପୁରୀ: ସକାଳୁ ସକାଳୁ ପୁରୀ ଗସ୍ତ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଶ୍ରୀମନ୍ଦିର ଚାରିପଟ ବୁଲି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ସେହିପରି ଶ୍ରୀ ମାର୍ଗ ପ୍ରକଳ୍ପର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଥିବା ବେଳେ, ନୂତନ କରି ଶ୍ରୀମନ୍ଦିର ନିକଟରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କରାଯାଉଥିବା ସେଡେଡ୍ ଚଲାପଥ ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ । ଶ୍ରୀମନ୍ଦିର କାର୍ଯ୍ୟାଳୟ ତଳେ କରାଯିବାକୁ ଥିବା ବିଶ୍ରାମସ୍ଥଳୀ ବୁଲି ଦେଖିବା ସହ କାର୍ଯ୍ୟକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି 5T ଅଧ୍ୟକ୍ଷ ।
ବଡ଼ଦାଣ୍ଡରେ ନିର୍ମାଣ ହେଉଥିବା ଶୀତ ତାପ ସେଡେଡ୍ ଚଲାପଥରେ ଭକ୍ତ ଓ ଶ୍ରଦ୍ଧାଳୁ ଆସିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ତଳେ କରାଯାଉଥିବା ବିଶ୍ରାମ ଗୃହରେ ଅବସ୍ଥାନ କରିବେ । ସେହିପରି ଶ୍ରୀମନ୍ଦିର ନିକଟରେ ଗତ ସପ୍ତାହରେ ଅଧିଗ୍ରହଣ ହୋଇଥିବା ନରେନ୍ଦ୍ର ମହଲା ଜମିରେ ଏକ ପାର୍କିଂ ନିର୍ମାଣ ସମ୍ପର୍କରେ ମଧ୍ୟ ବୁଲି ସମୀକ୍ଷା କରିଛନ୍ତି ।
ପୁରୀ ଜିଲ୍ଲାପାଳ, ଏସପି, ଉପ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ନିର୍ମାଣ କାରୀ ସଂସ୍ଥାର ଅଧିକାରୀ ମାନେ ଉପସ୍ଥିତ ରହି 5T ଅଧ୍ୟକ୍ଷଙ୍କୁ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ।