ହିମାଚଳପ୍ରଦେଶରେ ପ୍ରକୃତି ରଚିଛି ତାଣ୍ଡବ । ବର୍ଷା, ବନ୍ୟା, ଭୂସ୍ଖଳନରେ ୬୯ ଜଣଙ୍କର ମୃତ୍ୟୁ ୩୭ ଜଣ ନିଖୋଜ ଏବଂ ୧୧୦ ଜଣ ଆହତ ହୋଇଛନ୍ତି । ପ୍ରାଥମିକ ଆକଳନରୁ ଜଣାପଡ଼ିଛି ଯେ, ଏହି ମୌସୁମୀ ବିପର୍ୟ୍ୟୟ ପାଇଁ ରାଜ୍ୟରେ ୭୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ସେପଟେ ଜୁଲାଇ ୭ ତାରିଖ ପର୍ୟ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ ସୁଚନା ଜାରି କରିଛି ।
ତେବେ ମୌସୁମୀ ଆରମ୍ଭ ହେବା ପରଠାରୁ ୧୪ଟି ବାଦଲଫଟା ବର୍ଷା ରେକର୍ଡ କରାଯାଇଛି । ଏଥିଯୋଗୁଁ ୫ ଶହରୁ ଅଧିକ ରାସ୍ତାର ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି । ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି କି, ସରକାର ରାଜ୍ୟର ବିପର୍ୟ୍ୟୟ ପ୍ରଭାବିତ ପରିବାର ସହ ଅଛନ୍ତି ଏବଂ ଘର ଛାଡ଼ି ବାହାରେ ରହୁଥିବାରୁ ପ୍ରତି ପରିବାରକୁ ଘର ଭଡ଼ା ବାବଦକୁ ୫ ହଜାର ଟଙ୍କା ପ୍ରଦାନ କରାଯିବ । ସୁଖୁ କହିଛନ୍ତି, ରିଲିଫ୍ ଓ ଉଦ୍ଧାର ଅପରେସନ୍ ଜାରି ରହିଛି ।
ବିଶେଷ କରି ମଣ୍ଡି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଥିବାରୁ ଏଠାରେ ଉଦ୍ଧାର ଅପରେସନ୍ ତ୍ବରାନ୍ବିତ ହୋଇଛି । ଆଜି ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହିମାଚଳ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ହିମାଚଳପ୍ରଦେଶ ସମେତ ବର୍ଷା ପ୍ରଭାବିତ ଅନ୍ୟ ରାଜ୍ୟ ତଥା ଗୁଜରାଟ, ରାଜସ୍ଥାନକୁ ରିଲିଫ୍ ଓ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି । ପ୍ରଭାବିତଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ଅମିତ ଶାହ କହିଛନ୍ତି ।