ଜେଇଇ ମେନ୍ ପରୀକ୍ଷା ପାଇଁ ଆବଶ୍ୟକ ନାହିଁ ୭୫% ନମ୍ବର

0

ନୂଆଦିଲ୍ଲୀ : ଶିକ୍ଷାର୍ଥୀ ମାନଙ୍କ ପାଇଁ ଖୁସିଖବର । ଜେଇଇ ମେନ୍ ପରୀକ୍ଷାକୁ ନେଇ ସରକାରଙ୍କ ବଡ ଘୋଷଣା । ଶିକ୍ଷା ମନ୍ତ୍ରଣାଳୟ ଜେଇଇ ମେନ୍ ପରୀକ୍ଷା ଦେଉଥିବା ଛାତ୍ର-ଛାତ୍ରୀଙ୍କୁ ଆଶ୍ଵସ୍ତି ଦେଇଛନ୍ତି। ମନ୍ତ୍ରଣାଳୟ ଶିକ୍ଷା ବର୍ଷ ୨୦୨୧-୨୨ ପାଇଁ ଜେଇଇ ମେନ୍କୁ ନେଇ ଦ୍ଵାଦଶ ଶ୍ରେଣୀରେ ୭୫c ପ୍ରତିଶତ ନମ୍ବର ରଖିବା ମାନଦଣ୍ଡକୁ ହଟାଇ ଦେଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ମଙ୍ଗଳବାର ଟ୍ଵିଟ୍ କରି ଏହାର ଘୋଷଣା କରିଛନ୍ତି। ନିଶଙ୍କ କହିଛନ୍ତି, ଆଇଆଇଟି ଜେଇଇ ଓ ଗତ ଶିକ୍ଷା ବର୍ଷ ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ଆଗାମୀ ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ଜେଇଇ ମେନ ନିମନ୍ତେ ଦ୍ଵାଦଶ ଶ୍ରେଣୀରେ ୭୫ ପ୍ରତିଶତ ନମ୍ବର ରଖିବା ମାନଦଣ୍ଡକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ, ନିଟ୍, ଆଇଆଇଟି ଓ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ବିଟେକ୍, ବିଇ ପାଠ୍ୟକ୍ରମ ପାଇଁ ଜେଇଇ ମେନ ପରୀକ୍ଷା ଆୟୋଜିତ ହୋଇଥାଏ। ଶିକ୍ଷା ମନ୍ତ୍ରଣାଳୟର ଏହି ଘୋଷଣା ପରେ ଏନଆଇଟି, ଆଇଆଇଟି, ସିଏଫଟିଆଇ ପରି ସଂସ୍ଥାରେ ନାମ ଲେଖା ପାଇଁ ଦ୍ଵାଦଶ ଶ୍ରେଣୀରେ ୭୫ ପ୍ରତିଶତ ନମ୍ବର ରଖିବା ବାଧ୍ୟତାମୂଳକ ସମାପ୍ତ ହୋଇଛି। ଜେଇଇ ମେନ୍ରେ ଭଲ ନମ୍ବର ରଖୁଥିବା ପରୀକ୍ଷାର୍ଥୀଙ୍କୁ ଜେଇଇ ଆଡଭାନ୍ସ୍ଡ ପରୀକ୍ଷା ଦେବାକୁ ସୁଯୋଗ ମିଳିଥାଏ। ଜେଇଇ ଆଡଭାନ୍ସ୍ଡ ପରୀକ୍ଷା ଜରିଆରେ ଦେଶର ପ୍ରତିଷ୍ଠିତ ୨୩ ଆଇଆଇଟିରେ ଆଡମିଶନ ମିଳିଥାଏ। ଜେଇଇ ଆଡଭାନ୍ସ୍ଡ ପରୀକ୍ଷା ପାଇଁ ମଧ୍ୟ ଦ୍ଵାଦଶ ପରୀକ୍ଷାରେ ୭୫ ପ୍ରତିଶତ ନମ୍ବର ରଖିବା ମାନଦଣ୍ଡକୁ ମଧ୍ୟ ଚଳିତ ବର୍ଷ ପ୍ରତ୍ୟାହାର କରି ନିଆଯାଇଛି। ୨୦୨୦ ପର୍ୟ୍ୟନ୍ତ ଜେଇଇ ଆଡଭାନ୍ସଡ ପାଇଁ ଦ୍ଵାଦଶ ବୋର୍ଡ ପରୀକ୍ଷାରେ ୭୫ ପ୍ରତିଶତ ନମ୍ବର ରଖିବା ମାନଦଣ୍ଡ ରହିଥିଲା।

Edit by Sushree Biswajeeta