ରାଇରଙ୍ଗପୁର / ସତ୍ୟନାରାୟଣ ପାଲ: ଆଜି ବାମନଘାଟି ସଦରମହକୁମା ରାଇରଙ୍ଗପୁର ଠାରେ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି । ଏହି ପବିତ୍ର ଦିବସ ପାଳନ ଅବସରରେ ସ୍ଥାନୀୟ କଚେରୀ ପଡିଆ ଠାରେ ଆୟୋଜିତ ଉପଖଣ୍ଡ ସ୍ତରୀୟ ଆନୁଷ୍ଠାନିକ ଉତ୍ସବ ରେ ଶ୍ରୀଯୁକ୍ତ ସରୋଜ କୁମାର ଦାଶ, ଓ. ପ୍ର. ସେ. (ଏସ), ସମ୍ମାନୀୟ ଉପଜିଲ୍ଲାପାଳ, ବାମନଘାଟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ କି, ଆମ ଦେଶ ର ପୂର୍ବ ସୁରୀ ତଥା ମହାମନୀଷୀ ମାନଙ୍କ ଆତ୍ମବଳିଦାନ, ନିଃସ୍ୱାର୍ଥପର ସେବା ତଥା ଯେଉଁ ମାନଙ୍କ ଉତ୍ସର୍ଗୀକୃତ ମନଭାବର ପ୍ରତିଫଳନ ସ୍ୱରୂପ ବିଶ୍ୱ ମାନଚିତ୍ର ରେ ଏକ ସାର୍ବଭୌମ, ଧର୍ମ ନିରପେକ୍ଷ ଗଣତନ୍ତ୍ର ରାଷ୍ଟ୍ର ରୂପେ ଆଜି ଆମେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛୁ । ସେମାନଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଦେଶ ର ସର୍ବାଙ୍ଗୀନ ଉନ୍ନତି ଓ ସୁରକ୍ଷା ନିମନ୍ତେ ନିଜ ନିଜର ଦାୟିତ୍ୱ ସମ୍ପାଦନ କରିବା ପାଇଁ ଯଦି ଆମେ ଏଇ ଜାତୀୟ ପତାକା ତଳେ ସମ୍ମିଳିତ ଭାବେ ସଂକଳ୍ପବଦ୍ଧ ହେବା, ତେବେ ତାହାହିଁ ହେବ ଆଜିର ଏଇ ପବିତ୍ର ଦିବସ ରେ ସେଇ ମହାମନୀଷୀ ମାନଙ୍କ ଅମର ଆତ୍ମା ପ୍ରତି ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଆଜିର ଅନୁଷ୍ଠିତ ପ୍ୟାରେଡ ରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଏନସିସି, ସ୍କାଉଟ -ଗାଇଡ଼, ରେଡ଼କ୍ରସ ଓ ସିଭିଲିଆନ ଦଳରୁ ମୋଟ ୨୪ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ ଏବଂ ପ୍ୟାରେଡ ପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସମାଜ କୁ ଶିକ୍ଷଣୀୟ ବାର୍ତ୍ତା ପହଞ୍ଚାଉଥିବା ବିଷୟବସ୍ତୁ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ଆଜିର ପ୍ୟାରେଡ଼ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ଏନସିସି ବର୍ଗ ରେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ, ସ୍କାଉଟ ଗାଇଡ଼ ଓ ରେଡ କ୍ରସ ବର୍ଗ ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ରେଡକ୍ରସ ଓ ସିଭିଲିଆନ ବର୍ଗ ରେ କେରଲା ପବ୍ଲିକ ସ୍କୁଲ କୁ ମୁଖ୍ୟ ଅତିଥି ସିଲଡ଼ ପ୍ରଦାନ କରି ପୁରସ୍କୃତ କରିଥିଲେ। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବାଦାମୀବାଇ ସରକାରୀ ୟୁ ପି ସ୍କୁଲ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ କେରଲା ପବ୍ଲିକ ସ୍କୁଲ କୁ ଯଥା କ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଭାବେ ମନୋନୀତ କରାଯାଇ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିବା ସହ ବାମନଘାଟି ଅଂଚଳ ର ରାଜ୍ୟ ସ୍ତରରେ କୃତୀତ୍ୱ ହାସଲ କରିଥିବା ୦୮ ଜଣ କୃତୀ କ୍ରୀଡ଼ାବିତ ଙ୍କୁ ଉପଖଣ୍ଡ ପ୍ରଶାସନ ତରଫରୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ପୁରସ୍କାର ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ମୁଖ୍ୟ ଅତିଥି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ର ରୋଗୀ ମାନଙ୍କୁ ଏବଂ ରାଇରଙ୍ଗପୁର ଉପକାରାଗାର ର ଅନ୍ତେବାସୀ ମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ। ଉପଖଣ୍ଡ ପ୍ରଶାସନ ତରଫରୁ ପ୍ୟାରେଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମିଷ୍ଟlନ ବଣ୍ଟନ କରାଯାଇଥିଲା। ଦିବସ ପାଳନ ଅବସରରେ ପ୍ରତ୍ୟୁଷ ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଡାକବାଜିଯନ୍ତ୍ର ଯୋଗେ ସହର ରେ ରାମଧଧୂନ ପରିବେଷଣ ସହ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ପ୍ରଭାତଫେରୀ ଅନୁଷ୍ଠିତ ହୋଇଥିଲା। ଆଜିର ଅନୁଷ୍ଠିତ କାଯ୍ୟକ୍ରମ ରେ ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଗୋକୁଳା ନନ୍ଦ ସାହୁ, ରାଇରଙ୍ଗପୁର ଟାଉନ ଥାନା ଆଇ ଆଇ ସି, ଶ୍ରୀ ସୁଚନ୍ଦ୍ର ମହାଳିକ, ରାଇରଙ୍ଗପୁର ପୌରପାଳିକା ର କାଉଁନସିଲରବୃନ୍ଦ , ସହକାରୀ ଅଗ୍ନିଶମ ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ସାମଲ, ରାଇରଙ୍ଗପୁର ପୌର ପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଦିଲୀପ କୁମାର ମହାନ୍ତି, ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ, ସହର ର ମାନ୍ୟ ଗଣ୍ୟ ବ୍ୟକ୍ତି ଓ ବିଭିନ୍ନ ଗଣ ମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ସହକାରୀ ଶିକ୍ଷକ ଶ୍ରୀ ରଞ୍ଜନ କୁମାର ନନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ କୁ ଉପଜିଲ୍ଲାପାଳ ଙ୍କ ତତ୍ୱାବଧାନ ରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ପରିଚାଳନା କରିଥିଲେ ।