(ଭୁବନେଶ୍ୱର/ ସରୋଜ କୁମାର ରାଉତ): ରାଜଧାନୀରେ ଗତ କିଛି ଦିନ ହେବ ମାତିଛନ୍ତି ଅଦୃଶ୍ୟ ଲୁଟେରା । ଏଇ ମାସରେ କେବଳ ଭୁବନେଶ୍ୱରରୁ ଏହି ଅଦୃଶ୍ୟ ଲୁଟେରା ଲୁଟିଛନ୍ତି ୮୪ ଲକ୍ଷ ଟଙ୍କା । ଏକଥା ଆମେ କହୁନୁ, ଖୋଦ କମିଶନରେଟ ପୁଲିସର ସାଇବର ହେଲ୍ପ ଡେକ୍ସ ଦେଇଥିବା ତଥ୍ୟରେ ଏହା ଉଲ୍ଲେଖ ରହିଛି ।
ସୂଚନାନୁଯାୟୀ ଗତ କିଛି ଦିନ ହେବ ଭୁବନେଶ୍ୱର ତଥା ଏହାର ଆଖପାଖ ଅଞ୍ଚଳରେ ସାଇବର କ୍ରାଇମ ଦିନକୁ ଦିନ ବଢିବାରେ ଲାଗିଛି । ଗତ ମାସରେ ଏହି ଲୁଟେରାମାନେ କେବଳ ଭୁବନେଶ୍ୱରରୁ ୮୪ ଲକ୍ଷ ୭୮ ହଜାର ୩୯୪ ଟଙ୍କା ଲୁଟ କରିଛନ୍ତି । ସେଥିରୁ ପୁଲିସ ମାତ୍ର ୨ ଲକ୍ଷ ୫୩ ହଜାର ୬୪୭ହଜାର ଟଙ୍କା ଫେରାଇ ଆଣିବାରେ ସକ୍ଷମ ହୋଇଛି । ଏହି ମାସରେ ସାରା ଓଡିଶାରୁ ୬୨୯ଟି ସାଇବର କ୍ରାଇମ ମାମଲା ରୁଜୁ ହୋଇଥିବା ବେଳେ କେବଳ ଭୁବନେଶ୍ୱରରୁ ୩୧୦ ମାମଲା ରୁଜୁ ହୋଇଥିବା ଜଣା ପଡିଛି । ଏଥି ମଧ୍ୟରୁ ୧୭୦ଟି ୟୁପିଆଇ ସମ୍ବନ୍ଧୀୟ ହୋଇଥିବା ବଳେ ୮୦ ଟି ଡେବିଟ/କ୍ରେଡିଟ କାର୍ଡ ଓ ୩୭୯ଟି କଲ ମାଧ୍ୟମରେ ଲୁଟ ହୋଇଥିବା ଅଭିଯୋଗ ହୋଇଛି ।