(ଅନୁସ୍ୱୟା)ଭୁବନେଶ୍ୱର: ଗତକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ଲିଗ୍ ମ୍ୟାଚ୍ ଖେଳା ଯାଇଥିଲା। ଭାରତ ବାଂଲାଦେଶକୁ ୨୮ ରନ୍ରେ ହରାଇ ଆଇସିସି ବିଶ୍ୱକପ୍ ୨୦୧୯ର ସେମିଫାଇନାଲ୍ରେ ପହଞ୍ଚିଛି । ଅଷ୍ଟ୍ରେଲିଆ ପରେ ଦ୍ୱିତୀୟ ଦଳ ଭାବେ ନକ୍ଆଉଟ୍ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିଛି । ୯ ଓ୍ଵିକେଟ୍ରେ ୩୧୪ ରନ୍ କରିଥିଲା ଟିମ୍ ଇଣ୍ଡିଆ । ୩୧୫ ରନ୍ର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟରେ ବ୍ୟାଟିଂ କରିଥିବା ବାଂଲାଦେଶ ଦଳ ପ୍ରଥମରୁ ଦ୍ରୁତ ରନ୍ ସଂଗ୍ରହ କରି ବିରାଟ ବାହିନୀକୁ ଚମକାଇ ଦେଇଥିଲା । ହେଲେ ଶେଷରେ ୪୮ ଓଭରରେ ୨୮୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଭାରତ ସେମିଫାଇନାଲରେ ପହଞ୍ଚିଥିବା ବେଳେ ‘ହିଟ୍ ମ୍ୟାନ୍’ ରୋହିତ ଶର୍ମା ପୁଣି ଏକ ଶତକ ମାରି ଗତକାଲି ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲେ। ସେ ୯୨ଟି ବଲ୍ରୁ ୧୦୪ ରନ୍ କରିଥିଲେ। ସେ ସିନା ପଡ଼ିଆରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲେ, କିନ୍ତୁ ପଡ଼ିଆ ବାହାରେ ଆଉ ଜଣେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୮୭ ବର୍ଷୀୟା ମହିଳା ପ୍ରଶଂସକ ଚାରୁଲତା ପଟେଲ୍ । ନିଜ ଦେଶର ଖେଳାଳିଙ୍କୁ ସପୋର୍ଟ କରିବା ପାଇଁ ହ୍ବିଲ ଚେୟାରରେ ବସି ଯେତେବେଳେ ଷ୍ଟାଡିୟମ୍ ପହଂଚିଥିଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ମହିଳା ପ୍ରଶଂସକଙ୍କ ବୟସର ଅପରାହ୍ନରେ ବି କ୍ରିକେଟ୍ ପ୍ରତି ଥିବା ପ୍ରେମକୁ ପ୍ରଣାମ କରୁଛି ସାରା ଦେଶ ।
ମ୍ୟାଚ୍ ସମୟରେ ଟିମ୍ ଇଣ୍ଡିଆକୁ ଖୁବ୍ ସମର୍ଥନ କରିବା ସହ ହ୍ବିଲ୍ ଚେୟାରରେ ବସି ତ୍ରିରଙ୍ଗା ଉଡାଉଥିବାର ନଜର ଆସିଥିଲେ ଚାରୁଲତା । ତେବେ ବାଂଲାଦେଶ ବିପକ୍ଷରେ ବିଜୟ ପରେ ନିଜର ଏହି ଖାସ୍ ଫ୍ୟାନଙ୍କୁ ଭେଟିଥିଲେ ରୋହିତ୍ ଶର୍ମା ଏବଂ ବିରାଟ କୋହଲି । ଏହି ମୁହୂର୍ତ ସମସ୍ତଙ୍କ ମନକୁ ଜିତି ନେଇଥିଲା । ଯାହାର ଫଟୋକୁ ଟୁଇଟ୍ କରି କ୍ରିକେଟ୍ ୱର୍ଲ୍ଡ କପ୍ ଲେଖିଛି , ଜଣେ ଖାସ୍ ଫ୍ୟାନଙ୍କ ସହ ବିଜୟ ମନାଉଥିବା ମ୍ୟାନ୍ ଅଫ ଦି ମ୍ୟାଚ୍ ରୋହିତ ଶର୍ମା । ବିଜୟ ପରେ ଚାରୁଲତାଙ୍କ ଆଶୀର୍ବାଦ ନେଇଥିଲେ କ୍ୟାପଟେନ୍ କୋହଲି । ସେ ଉଭୟଙ୍କୁ ବହୁତ ଗେଲ କରିଛନ୍ତି। ସେମାନଙ୍କୁ ଚୁମା ଦେଇଛନ୍ତି ଓ ଆଶୀର୍ବାଦ ବି କରିଛନ୍ତି। ସେ ବିରାଟଙ୍କୁ କିଛି କହୁଥିବା ମଧ୍ୟ ଦେଖିବାକୁ ମିଳିଛି। ଚାରୁଲତାଙ୍କୁ ଭେଟି ବିରାଟ ଓ ରୋହିତ ବି ବେଶ୍ ଖୁସି ଅନୁଭବ କରିଥିବା ଦେଖିବାକୁ ମିଳିଛି।
ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ଏହା ସହ ତାଙ୍କର ଫଟୋକୁ ମ୍ୟାଚର ସବୁଠାରୁ ଖାସ୍ ଫଟୋ ବୋଲି କହିବାକୁ ପଛାଇନାହାଁନ୍ତି ୟୁଜର୍ ।
ପୋଷ୍ଟ୍ ହେବାର ୮ ଘଣ୍ଟା ମଧ୍ୟରେ ଏହାକୁ ୨ ଲକ୍ଷ ୯୫ ହଜାର ଲୋକ ଦେଖି ସାରିଥିବା ବେଳେ ୪୦ ହଜାର ଲୋକ ଲାଇକ୍ କରିଛନ୍ତି। ୯ ହଜାର ଲୋକ ଏହାକୁ ରି଼ଟ୍ୱିଟ୍ ମଧ୍ୟ କରିଛନ୍ତି।