ନୂଆଦିଲ୍ଲୀ: ଆଜି ଅକ୍ଟୋବର ୮ ତାରିଖରେ ପାଳନ ହେଉଛି ଭାରତୀୟ ବାୟୁସେନା ଦିବସ । ୧୯୩୨ ମସିହାରୁ ପ୍ରତିବର୍ଷ ଏହି ଦିନଟି ଭାରତୀୟ ବାୟୁସେନାକୁ ଉତ୍ସର୍ଗ କରାଯାଇଛି । ଏହି ଦିନ ବ୍ରିଟିଶ ସାମ୍ରାଜ୍ୟ ଦ୍ୱାରା ଔପଚାରିକ ଭାବେ ଭାରତୀୟ ବାୟୁ ସେନାର ସ୍ତାପନ କରାଯାଇଥିଲା । ତେବେ ଭାରତୀୟ ବାୟୁସେନାର ଆଜି ହେଉଛି ୮୮ତମ ପ୍ରତିଷ୍ଠା ଦିବସ । ପ୍ରତିବର୍ଷ ଅକ୍ଟୋବର ୮ ତାରିଖକୁ ଭାରତୀୟ ବାୟୁ ସେନା ଦିବସ ଭାବେ ପାଳନ କରାଯାଏ । ଏଥିସହ ହିନ୍ଦୋନ ବେସଠାରେ ବାୟୁସେନା ନିଜର ପରାକ୍ରମ ପ୍ରଦର୍ଶନ କରାଇଥାଏ । ଆକାଶ ମାର୍ଗରେ ବିମାନର ଚମତ୍କାର ଏବଂ ଦୁଃସାହସିକ ପ୍ରଦର୍ଶନ କରିଥାଏ ଭାରତର ବାୟୁ ସେନା ।
ଆଜି ମଧ୍ୟ ବାୟୁ ସେନା ହିନ୍ଦୋନ ବେସଠାରେ ନିଜର ଦଃୁସାହସିକ ପ୍ରଦର୍ଶନ ଦେଖାଇବ । ଭାରତୀୟ ବାୟୁ ସେନାର ମୁଖ୍ୟ ଏବଂ ତିନି ସଶସ୍ତ୍ର ବାହିନୀର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବାୟୁ ସେନା ଏହାର ପରାକ୍ରମ ଦେଖାଇବ । ଆକାଶ ମାର୍ଗରେ ବିଭିନ୍ନ ପ୍ରକାର କଳା ପ୍ରଦର୍ଶନ କରିବେ ବାୟୁସେନାର ଯବାନ । ଏଥି ସହ ସବୁଠୁ ଜଟିଳ ଏବଂ ପୁରୁଣା ବିମାନର ପ୍ରଦର୍ଶନ ମଧ୍ୟ କରାଯିବ । ଭାରତର ରାଷ୍ଟ୍ରପତି ହେଉଛନ୍ତି ବାୟୁସେନାର ସର୍ବୋଚ୍ଚ କମାଣ୍ଡର । ଭାରତୀୟ ବାୟୁସେନା କେବଳ ଭାରତୀୟ ଭୂଖଣ୍ଡର ରକ୍ଷା କରେ ନାହିଁ, ସମସ୍ତ ପ୍ରକାର ବିପଦରୁ ଏହା ଦେଶକୁ ସୁରକ୍ଷା ପ୍ରଦାନ କରେ । ପ୍ରାକୃତିକ ବିପର୍ୟ୍ୟୟ ସମୟରେ ମଧ୍ୟ ସାହାଯ୍ୟ କରେ । ଯୁଦ୍ଧକ୍ଷେତ୍ରରେ ଭାରତୀୟ ସେନାକୁ ସମସ୍ତ ପ୍ରକାର ସମର୍ଥନ ଯୋଗାଇଥାଏ ।