ରାୟଗଡ଼ା/ ମନୋଜକୁମାର ସାହୁ: ରାଜ୍ୟ ପର୍ୟ୍ୟଟନ ବିଭାଗ ଓ ରାୟଗଡା ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣ କାର୍ୟ୍ୟକ୍ରମରେ ଦକ୍ଷିଣାପଶ୍ଚିମାଚଂଳର କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ନୂଆପଡା ଆଦି ୬ଟି ଜିଲ୍ଳାର ୯୭୦ଜଣ ତୀର୍ଥଯାତ୍ରୀ ଓ ୩୦ଜଣ ଏସକର୍ଟ କର୍ମକର୍ତାମାନେ ଆଜି ରାୟଗଡା ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ତିରୁପତି-ଭେଲୋର-ଶ୍ରୀକଳାହସ୍ତି ଅଭିମୁଖେ ତୀର୍ଥଯାତ୍ରା ଆରମ୍ଭ କରିଛନ୍ତି ।ଓଡିଶା ସରକାରଙ୍କ ପର୍ୟ୍ୟଟନ ବିଭାଗ ତରଫରୁ ସ୍ଵତନ୍ତ୍ର ଟ୍ରେନ ଯୋଗେ ରାୟଗଡ ଷ୍ଟେସନ ରୁ ସେମାନେ ତୀର୍ଥଯାତ୍ରାରେ ବାହାରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭି ଡି ଓ କନ୍ଫରେନ୍ସ ମାଧ୍ୟମରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥଲେ । ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତୀର୍ଥଯାତ୍ରୀମାନେ ଯାଉଥିବା ସ୍ୱତନ୍ତ୍ର ଟ୍ରେନରେ ଫିତା କାଟିବା ସହ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ୟ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ରାଜ୍ୟ ଉପଦେଷ୍ଠା ଦୁର୍ଗାପ୍ରସାଦ ସାମନ୍ତରାଏ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ଉପଦେଷ୍ଠା ସୁଧୀର କୁମାର ଦାସ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ଜିଲ୍ଳାପାଳ ସ୍ୱଧାଦେବ ସିଂ, ନଗର ଅଧ୍ୟକ୍ଷ ପି.ମହେଶ ପଟ୍ଟନାୟକଙ୍କ ପ୍ରମୁଖ ଯୋଗଦାନ କରି ବରିଷ୍ଠ ନାଗରିକ ମାଙ୍କୁ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।