(ଅନୁଗୁଳ/ଜ୍ୟୋତିରଞ୍ଜନ ଧର) : ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ୨୩ ବର୍ଷରୁ କମ ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ଓଡ଼ିଶାକୁ ଗୋଟିଏ ପଦକ ମିଳିଛି । ଉଚ୍ଚ ଡିଆଁରେ ଅନୁଗୁଳର ପୁଅ ସ୍ଵାଧୀନ ମାଝୀ ୨.୦୮ ମିଟର ଡେଇଁ ଓଡ଼ିଶା ପାଇଁ ବ୍ରୋଞ୍ଚ ପଦକ ଜିତିଛନ୍ତି । ନୂଆଦିଲ୍ଲୀରେ ଓଡ଼ିଶା ପାଇଁ ଏକମାତ୍ର ପଦକ ଜିତିବା ପରେ ତାଙ୍କୁ ଏବେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ଆଥଲେଟିକ ଫେଡ଼େରେସନ ଅଫ ଇଣ୍ଡିଆ ତରଫରୁ ନୂଆଦିଲ୍ଲୀରେ ସେପ୍ଟେମ୍ବର ୨୭ ରୁ ୨୯ ପର୍ୟ୍ୟନ୍ତ ୨୩ ବର୍ଷରୁ କମ ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାରୁ ୬ ଜଣ ଭାଗ ନେଇଥିଲାବେଳେ ଏକମାତ୍ର ଆଥଲେଟ ଭାବେ ଉଚ୍ଚଡିଆଁରେ ସ୍ଵାଧୀନଙ୍କୁ ପଦକ ମିଳିଛି । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଜିଲ୍ଲା ବ୍ରାହ୍ମଣବିଲ ପଞ୍ଚାୟତ କରଡ଼ାବାହାଳ ଗାଁର ନିରଞ୍ଜନ ମାଝୀ ଓ କୁନି ମାଝୀଙ୍କ ପୁଅ ସ୍ଵାଧୀନ । ବାପା ଶିକ୍ଷକତା କରୁଥିବା ବେଳେ ମା ଗୃହିଣୀ । ଛୋଟ ବେଳୁ ସ୍ଵାଧୀନଙ୍କର ଖେଳ ପ୍ରତି ବେଶ ଆଗ୍ରହ ଥିଲା । ତେବେ ଗାଁରେ ଥିବା ବେଳେ ତାଙ୍କୁ ବିଶେଷ ସୁଯୋଗ ମିଳି ନଥିବା ବେଳେ ୨୦୧୭ ମସିହାରେ ସେ ଯେତେବେଳେ ଅନୁଗୁଳରେ ଯୁକ୍ତ ଦୁଇ ପଢିବାକୁ ଆସିଲେ ସେତେବେଳେ ଅନୁଗୁଳ ଷ୍ଟାଡିୟମରେ ତାଙ୍କ ଖେଳର ଫାଉଣ୍ଡେସନ ପଡିଥିଲା । ଆଉ ଉଚ୍ଚଡିଆଁ ପ୍ରତି ତାଙ୍କର ବେଶ ଆଗ୍ରହ ସୃଷ୍ଟି ହୋଇଥିଲା । ଲାମ୍ବା ଉଚ୍ଚତା ଥିବା ବେଳେ ସେ ଭଲ ଡେଇଁ ପାରିବେ ବୋଲି ଆଶା ନେଇ ସେ ଅଭ୍ୟାସ ଆରମ୍ଭ କରିଥିଲେ । ଅନୁଗୁଳରେ ସେମିତି କିଛି ବିଶେଷ ଭିତ୍ତିଭୂମି ନ ଥିବା ବେଳେ ପ୍ରଶିକ୍ଷଣ ଦେବା ପାଇଁ କେହି ନଥିବା ବେଳେ ୟୁ ଟ୍ୟୁବ୍ କୁ ଗୁରୁ କରି ନେଇଥିଲେ ପ୍ରଥମେ । ବିଭିନ୍ନ ବାୟାମ ଶିଖିବା ସହ ଉଚ୍ଚ ଡିଆଁ ପାଇଁ କୌଶଳ ଦେଖି ଦେଖି ନିଜର ଅଭ୍ୟାସ ଜାରି ରଖିଥିଲେ । ଅନୁଗୁଳ ଷ୍ଟାଡିୟମରେ ବାଲି ଉପରେ ଡେଇଁବା କଷ୍ଟକର ହେଉଥିଲା । ଏହି ସମୟରେ ତାଙ୍କର ଭଲିବଲ ଖେଳାଳି ତଥା ପ୍ରଶିକ୍ଷକ ଦିବ୍ୟ ରଞ୍ଜନ ବେହେରାଙ୍କ ସହ ଭେଟ ହୋଇଥିଲା । ଆଉ ତାଙ୍କରି ସହଯୋଗରେ ବସର ପୁରୁଣା ଗଦି ଓ ସିମେଣ୍ଟ ବସ୍ତାରେ ମ୍ୟାଟ୍ ପ୍ରସ୍ତୁତ କରିଥିଲେ । ଆଉ ଦିବ୍ୟ ରଞ୍ଜନ ବେହେରାଙ୍କ ତତ୍ବାବଧାନରେ ନିୟମିତ ଅଭ୍ୟାସ କରିଥିଲେ । ଏହି ଅଭ୍ୟାସ ବେଳେ ତାଙ୍କୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ସୁଯୋଗ ମିଳିଥିଲା । ସେହିବର୍ଷ ସେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ରେକର୍ଡ କରିବା ସହ ଜାତୀୟ ପ୍ରତିଯୋଗିତା ପାଇଁ ସୁଯୋଗ ପାଇଥିଲେ । ଜାତୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇବା ପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ । ଏପଟେ ତାଙ୍କ ଖେଳ ପ୍ରତିଭା ଦେଖି କୋଲକତାର ସାଇ ସ୍ପୋର୍ଷ୍ଟସ ହଷ୍ଟେଲରେ ତାଲିମ ପାଇଁ ତାଙ୍କୁ ସୁଯୋଗ ମିଳିଥିଲା । ପରେ ୨୦୧୯ ଠାରୁ କଳିଙ୍ଗ ଷ୍ଟାଡିୟମରେ ରହି ଅଭ୍ୟାସ ଜାରି ରଖିଛନ୍ତି । ବିଦେଶୀ କୋଚ ଜେମସ ହିଲିଅରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସେ ଏବେ ତାଲିମ ନେବା ସହ ଅଭ୍ୟାସ ଜାରି ରଖିଛନ୍ତି । ଆଉ ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ପଦକ ହାସଲ ପରେ ସେ ଆଗକୁ ରାଜ୍ୟ ଓ ଦେଶ ପାଇଁ ଖେଳି ଅନେକ ପଦକ ଆଣିବା ସହ ରାଜ୍ୟ ଓ ଦେଶକୁ ଗୌରବାନ୍ଵିତ କରିବାକୁ ସ୍ୱାଧିନ ଲକ୍ଷ୍ୟ ରଖିଛନ୍ତି ।