ବୁର୍ଲା : ବୁର୍ଲା ଥାନା ଅନ୍ତର୍ଗତ ୧୮ ହଜାର ପାୱାର କେନାଲରେ ଘଟିଛି ଅଘଟଣ । ଜଣେ ଛାତ୍ରୀ ନିଜ ପୁରୁଷ ବନ୍ଧୁଙ୍କ ସହ ପାୱାର କେନାଲକୁ ବୁଲିଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିବାର ସୂଚନା ମିଳିଛି । ନିଖୋଜ ଛାତ୍ରୀ ଜଣକ ହେଲେ ନିଶା ଝା ଏବଂ ତାଙ୍କ ଘର ଝାରସୁଗୁଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇଂରାଜୀ ଅନର୍ସ ଦ୍ୱିତୀୟ ବର୍ଷର ଜଣେ ଛାତ୍ରଙ୍କ ସହ ରାଉରକେଲାର ଏକ ଘରୋଇ ଅନୁଷ୍ଠାନରେ ବିବିଏ ପାଠ ପଢ଼ୁଥିବା ଝାରସୁଗୁଡ଼ା ଅଞ୍ଚଳର ନିଶା ଝା’ଙ୍କର ତିନି ସପ୍ତାହ ତଳେ ଇନ୍ଷ୍ଟାଗ୍ରାମରେ ବନ୍ଧୁତା ହୋଇଥିଲା। ଆଜି ପ୍ରଥମ ଥର ପାଇଁ ନିଶା ସମ୍ୱଲପୁର ସହର ଜଗନ୍ନାଥ କଲୋନୀସ୍ଥିତ ଭଉଣୀ ଘରକୁ ଆସିଥିବା ବେଳେ ଛାତ୍ରଙ୍କ ସହ ଏକ ସ୍କୁଟି ସାହାଯ୍ୟରେ ୧୮ ହଜାର ପାୱାର କେନାଲ ଅଞ୍ଚଳକୁ ବୁଲିବାକୁ ଯାଇଥିଲେ। ତେବେ ସେଠାରେ ନିଶା ପାଣିରେ ଖେଳୁଥିବା ସମୟରେ ଭାସିଯାଇଥିଲେ। ଏପରିକି ପାଣିରେ ଖେଳୁଥିବା ସମୟରେ ଭିଡିଓ ମଧ୍ୟ ଉତ୍ତୋଳନ କରିଛନ୍ତି ଛାତ୍ରଜଣଙ୍କ। ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ବେଳେ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଙ୍କୁ ଘଟଣାକ୍ରମ ବାବଦରେ ପଚରା ଉଚୁରା କରିଛି। ତେବେ ପର୍ସ ସହ ନିଜେ ନିଶା ଭାସିଯାଇଥିବା ବେଳେ ନିଶାଙ୍କ ମୋବାଇଲଟି ଛାତ୍ରଙ୍କ ହାତରେ ରହିଥିବା ଦେଖିବାକୁ ମିଳିଛି।