ଭୁବନେଶ୍ୱର : ଟେଲିକମ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଏଣିକି ମନ୍ଦ ଉଦ୍ଦେଶ୍ୟରେ ସିମ୍ କାର୍ଡ଼ ସଂଯୋଗ ନେଇ ତାହାକୁ କାମରେ ଲଗାଇବା ସହଜ ହେବ ନାହିଁ । ଏଥିପାଇଁ ଓଡ଼ିଶା ଟେଲିକମ୍ ବିଭାଗ ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଣ୍ଡ ଫେସିଆଲ ରେକଗନିସନ୍ ପାୱାରଡ୍ ସଲ୍ୟୁସନ୍ ଫର ଟେଲିକମ୍ ସିମ୍ ସବସ୍କ୍ରାଇବର୍ ଭେରିଫିକେସନ୍ (ଏଏସ୍ଟିଆର) ପଦ୍ଧତ୍ତିର ବ୍ୟବହାର ଆରମ୍ଭ କରିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଅବା କୃତ୍ରିମ ବୁଦ୍ଧିମତା ନକଲି ମୋବାଇଲ୍ ଗ୍ରାହକଙ୍କୁ ଠାବ କରିବାରେ ସଫଳ ମଧ୍ୟ ହୋଇଛି। ସାଇବର ଅପରାଧ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ମୋବାଇଲ୍ ଫୋନ୍ ଏଥିରେ ପ୍ରମୁଖ ଅସ୍ତ୍ର ସାଜିଛି। ତେଣୁ ନକଲି ସିମ୍ କାର୍ଡ ବିରୋଧରେ ଅଭିଯାନ ଆରମ୍ଭ ପାଇଁ ଓଡ଼ିଶା ଟେଲିକମ୍ ସର୍କଲ ପକ୍ଷରୁ ଏଏସ୍ଟିଆର କୌଶଳର ଉପଯୋଗ କରାଯାଉଛି। କିଛି ଦିନ ମଧ୍ୟରେ ଓଡ଼ିଶାରେ ୫୧୨୬୦ ସିମ୍ କାର୍ଡ ଅଚଳ କରାଯାଇଛି। ଅଚଳ ହୋଇଥିବା ସିମ୍ କାର୍ଡ ବିଭିନ୍ନ ମୋବାଇଲ୍ ସେବା ପ୍ରଦାନକାରୀ କମ୍ପାନୀ ଜାରି କରିଥିଲେ। ସେହିପରି ନକଲି ସିମ୍ ଯୋଗାଣ କରିବା ଅଭିଯୋଗରେ ଟେଲିକମ୍ ବିଭାଗ ପକ୍ଷରୁ ୨୪୧୭ ବିକ୍ରେତାଙ୍କୁ କଳା ତାଲିକାଭୁକ୍ତ କରାଯାଇ ସେମାନଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି। ଓଡ଼ିଶା ଟେଲିକମ୍ ସର୍କଲର ଅତିରିକ୍ତ ମହାନିର୍ଦ୍ଦେଶକ ବିକେ ନାୟକ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି ଯେ ସାଇବର ଅପରାଧ ଉପରେ ଅଙ୍କୁଶ ଲଗାଇବାକୁ ହେଲେ ଆମକୁ ନକଲି, ଅବୈଧ ସିମ୍ କାର୍ଡ ଧରିବା ଜରୁରୀ। ଏହି କ୍ରମରେ ଆମେ ଏଏସ୍ଟିଆର ବ୍ୟବହାର ଆରମ୍ଭ କରିଛୁ। ଏହି ବ୍ୟବସ୍ଥାରେ ମୁହଁ ଚିହ୍ନଟ ବ୍ୟବସ୍ଥା ରହିଛି ଯାହା ସବୁ କମ୍ପାନୀର ସିମ୍ କାର୍ଡ ବ୍ୟବହାରକାରୀଙ୍କ ଡାଟାବେସ୍କୁ ଅନୁଶୀଳନ କରିଥାଏ।