କନ୍ଧମାଳ: କନ୍ଧମାଳରେ ପୁଣି ମାତିଲେ ମାଓବାଦୀ । ଘରୁ ଡାକିନେଇ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କଲେ । ଉପାନ୍ତ ଅଞ୍ଚଳରେ ବଢ଼ିଚାଲିଛି ମାଓବାଦୀଙ୍କ ଅତ୍ୟାଚାର । ସାଧାରଣ ଲୋକଙ୍କୁ ଟାର୍ଗେଟ କରିବା ସହ ଉନ୍ନତିମୂଳକ କାର୍ଯ୍ୟକୁ ବିରୋଧ କରି ହତ୍ୟା କରୁଛନ୍ତି ଲାଲ ବାହିନୀ । ଏନେଇ ଗତକାଲି ବିଳମ୍ବିତ ରାତିରେ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । କନ୍ଧମାଳ ଜିଲ୍ଲାର ଦୁର୍ଗମ ମାଓ ଅଧ୍ୟୁଷିତ ଅଞ୍ଚଳ କୁହାଯାଉଥିବା ଫିରିଙ୍ଗିଆ ବ୍ଲକ ସୁମେରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବଳ କହଁରଙ୍କୁ ଅତି ନିର୍ମମ ଭାବରେ ମାଓବାଦୀମାନେ ହତ୍ୟା କରି ପୁଣି ଥରେ ନିଜର ଦବଦବା ଜାହିର କରିଛନ୍ତି। ମୃତ ପୂର୍ବତନ ସରପଞ୍ଚ ସୁବଳ କହଁର ଏହି ସୁମେରବନ୍ଧ ପଞ୍ଚାୟତ ଗଠନ ହେବା ପରେ ପଞ୍ଚାୟତର ପ୍ରଥମ ସରପଞ୍ଚ ଭାବରେ ଦାୟିତ୍ୱ ନେଇଥିଲେ। ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ମଧ୍ୟ୍ୟ ବହୁ ପ୍ରଚେଷ୍ଟା କରିଥିଲେ, ଯେଉଁଥିପାଇଁ ସୁବଳ ମାଓବାଦୀଙ୍କ ଟାର୍ଗେଟରେ ଥିଲେ । ହତ୍ୟା ପୂର୍ବରୁ ବହୁ ଥର ସୁବଳଙ୍କୁ ମାଓବାଦୀମାନେ ତାଙ୍କୁ ଧମକ ମଧ୍ୟ ଦେଇଥିଲେ । ଘରେ ଶୋଇଥିବା ବେଳେ ୩ଜଣ ସଶସ୍ତ୍ର ମାଓବାଦୀ ଗାଁ ଭିତରେ ପଶି ପୂର୍ବତନ ସରପଞ୍ଚ ସୁବଳ କହଁରଙ୍କୁ ଡ଼ାକି ନେଇଥିଲେ । ଘର ଠାରୁ ୨୦୦ ମିଟର ଦୂରରେ ୫ ରାଉଣ୍ଡ ଗୁଳି କରି ସୁବଳଙ୍କୁ ହତ୍ୟା କରିଥିଲେ । ଅନ୍ୟପଟେ ଘଟଣାସ୍ଥଳରୁ ସୁମେରବନ୍ଧ ସିଆରପିଏଫ କ୍ୟାମ୍ପର ଦୂରତା ମାତ୍ର ଗୋଟିଏ କିଲୋ ମିଟର ହୋଇଥିବା ବେଳେ କଡା ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ୍ୟ ଏଭଳି ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ଜନ ସାଧାରଣ। ତେବେ ଘଟଣାଟି ଗତକାଲି ରାତିରୁ ହୋଇଥିବା ବେଳେ ବର୍ତମାନ ପର୍ୟ୍ୟନ୍ତ କୌଣସି ପୁଲିସ ଅଧିକାରୀ କିମ୍ବା ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣା ପଡ଼ିଛି। ଅନ୍ୟପଟେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରିବା ପରେ ଘଟଣାସ୍ଥଳରେ କିଛି ପୋଷ୍ଟର ଛାଡ଼ି ଯାଇଥିବା ସୂଚନା ରହିଛି ।