ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର : ଆସନ୍ତା ୧୭ ତାରିଖ ଦିନ ପୁରୀରେ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ଲୋକାର୍ପଣ କରିବେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ଅର୍ପଣ ରଥ ପରିଭ୍ରମଣର ଆଜି ଶେଷ ଦିନ । ପୂର୍ବାହ୍ନରେ ଚମ୍ପୁଆ ଏନ୍ ଏ ସି ର ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜିତ ଚୌଧୁରୀଙ୍କ ସମେତ ବିଭିନ୍ନ ୱାର୍ଡର କାଉନସିଲର ପୂଜାର୍ଚ୍ଚନା କରିବା ପରେ ଅର୍ପଣ ରଥକୁ ଢୋଲ ,ସଂକୀର୍ତ୍ତନ, ଝାଞ୍ଜର ତାଳେ ତାଳେ ଜୟ ଜଗନ୍ନାଥ ଧ୍ୱନୀ ଦେଇ ଶୁଭାରମ୍ଭ କରିଥିଲେ । ଶତାଧିକ ଶ୍ରଦ୍ଧାଳୁ ରଥକୁ ସହର ପରିକ୍ରମା କରାଇବା ସହ ପ୍ରତି ଘରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିଛନ୍ତି । ବିଭିନ୍ନ ସ୍ଥାନରେ ମହିଳା ମାନେ ଘର ଆଗରେ ଝୋଟ ଓ ଚିତା ପକାଇବା ସହିତ ଧୂପ ଦୀପରେ ବନ୍ଦାପନା କରି ରଥକୁ ସ୍ୱାଗତ କରିଥିଲେ । ଚମ୍ପୁଆ ଏନଏ ସି ରେ ଗତ ୮ତାରିଖ ଠାରୁ ଆରମ୍ଭ ହୋଇଥିବା ଅର୍ପଣ ରଥ ସମସ୍ତ ୧୩ ଟି ୱାର୍ଡ ପରିକ୍ରମା କରିବାପରେ ଆଜି ସମାପନ ହୋଇଛି । ସଂକୀର୍ତ୍ତନ, ଘଣ୍ଟ, ମର୍ଦ୍ଦଳ, କାହାଳି ସାଙ୍ଗକୁ ହରିବୋଲ ଓ ହୁଳହୁଳି ଧ୍ୱନୀରେ ସମଗ୍ର ଗ୍ରାମ ପ୍ରକମ୍ପିତ ହୋଇଥିଲା। ପ୍ରତ୍ୟେକ ୱାର୍ଡରେ ଏହି ରଥକୁ ଧୂପ, ଦୀପ ସହ ପୁଷ୍ପମାଲ୍ୟା ଦେଇ ଲୋକେ ଭରପୁର ସ୍ୱାଗତ କରିଥିବା ବେଳେ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।