ଆସନ୍ତାକାଲିଠୁ ମାର୍ଚ୍ଚ 5 ପର୍ଯ୍ୟନ୍ତ ବିଜୁ ଜନତା ଦଳର ପରିବାର ସମ୍ପର୍କ ଅଭିଯାନ। ଆସନ୍ତାକାଲି ଅର୍ଥାତ ନେତାଜୀ ଜୟନ୍ତୀରୁ ବିଜୁ ଜୟନ୍ତୀ ଯାଏଁ ପରିବାର ସମ୍ପର୍କ କାର୍ଯ୍ୟକ୍ରମ କରିବ ବିଜେଡି। ଘରେ ଘରେ ପହଂଚିବା, ଲିଫ୍ଲେଟ ମାଧ୍ୟମରେ କ୍ୟାମ୍ପେନ, ନବୀନ ସରକାରଙ୍କ ସଫଳତା ଘରେ ଘରେ ପହଞ୍ଚାଇବାକୁ ଖସଡ଼ା ପ୍ରସ୍ତୁତ କରିଛି ଦଳ। ଏହାକୁ ତଦାରଖ କରିବେ ଜିଲ୍ଲା ପର୍ଯ୍ୟବେକ୍ଷକ। ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରତିବର୍ଷ ପରି ଗତବର୍ଷ ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏ ପଦଯାତ୍ରା ହୋଇଥିଲା । ଜନ ସମ୍ପର୍କ ପଦଯାତ୍ରା ପରେ ପ୍ରତି ନିର୍ବାଚନ ମଣ୍ଡଳୀର 200 ପ୍ରତିନିଧିଙ୍କୁ ଶଙ୍ଖ ଭବନରେ ବିଭିନ୍ନ ପ୍ରସଙ୍ଗରେ ଟ୍ରେନିଂ ଦିଆଯାଇଥିଲା । ଏ ନେଇ ଦଳୀୟ କାର୍ଯ୍ୟାଳୟରେ ନିଷ୍ପତ୍ତି ନିଆଯାଇଥିଲା । ବିଭିନ୍ନ ପ୍ରସଙ୍ଗ ଯେପରିକି ସାମାଜିକ ପ୍ରତିବଦ୍ଧତା, ରାଜନୈତିକ ଓ ଅର୍ଥନୈତିକ ପ୍ରସ୍ତାବ ଉପରେ ତାଲିମ ଦିଆଯାଇଥିଲା । ସବୁ ନିର୍ବାଚନ ମଣ୍ଡଳୀର କର୍ମୀ ଆସି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । 32 ହଜାରରୁ ଅଧିକ କର୍ମୀ ଏଥିରେ ସାମିଲ ହୋଇ ତାଲିମ ନେଇଛନ୍ତି । ଓଡ଼ିଶାର ଜନ୍ମିତ ଦୁଇ ବରପୁତ୍ରଙ୍କ ଜୟନ୍ତୀକୁ ଯୋଡିବାକୁ ପ୍ରୟାସ କରାଯାଇଛି । ଜାତୀୟରୁ ମହାଜାତୀୟ ଜୀବନକୁ ଛୁଇଁଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ଯୋଡ଼ି କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ତେଣୁ ଜାନୁଆରୀ 23 ନେତାଜୀ ଜୟନ୍ତୀରୁ ମାର୍ଚ୍ଚ 5 ବିଜୁ ଜୟନ୍ତୀ ଯାଏ ଦଳ ପରିବାର ସମ୍ପର୍କ ଅଭିଯାନ ଆୟୋଜନ କରିଛି । ଘରେ ଘରେ ପହଁଚିବା, ଲିଫ୍ଲେଟ ମାଧ୍ୟମରେ କ୍ୟାମ୍ପେନ, ସଭା ସମିତି କରି ନବୀନ ସରକାରଙ୍କ ସଫଳତା ଘରେ ଘରେ ପହଞ୍ଚାଇବାକୁ କାର୍ଯ୍ୟକ୍ରମ ହେବ । ସେହି ଅନୁସାରେ କାଲିଠାରୁ କାର୍ଯ୍ୟକ୍ରମ ହେବ ।