ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ୬ ଅଭିଯୁକ୍ତ ରିମାଣ୍ଡରେ ଯିବେ

0

ବ୍ରହ୍ମପୁର-: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ୬ ଅଭିଯୁକ୍ତ ରିମାଣ୍ଡରେ ଯିବେ । ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଗୁରୁବାର ବ୍ରହ୍ମପୁର ମଣ୍ଡଳ କାରଗାରରେ ଅଭିଯୁକ୍ତଙ୍କର ଟିଆଇ ପରେଡ ହୋଇଥିଲା । ପରେଡରେ ପୀଡ଼ିତା ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଛି। ଗୋପାଳପୁର ବେଳାଭୂମିରେ ଗତ ୧୫ ତାରିଖରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ଛାନ୍‌ଭିନ୍‌ କରି ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରୁଛି । ଦୁଷ୍କର୍ମର ଚିତ୍ର କରନାମା ସିସିଟିଭିରେ କଏଦ ହୋଇଥିବା ସୂଚନା । ପ୍ରାୟ ଦେଢ଼ଘଣ୍ଟା ଧରି ଯୁବତୀଙ୍କୁ ରେପ୍ କରାଯାଇଥିବା ଜଣାପଡ଼ିଛି । ଏକାଧିକ ଡିଜିଟାଲ ପ୍ରମାଣ ଏକଜୁଟ୍ କରିବାରେ ସକ୍ଷମ ହୋଇଛି କ୍ରାଇମବ୍ରାଞ୍ଚ ଟିମ୍ ।

ତେବେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପରେ ଘଟଣାସ୍ଥଳରେ ତଦନ୍ତକାରୀ ଟିମ୍ ଉପସ୍ଥିତିରେ ସିନ୍ ରିକ୍ରିଏସନ କରାଯିବ । ଗତ ରବିବାର ୨୦ ବର୍ଷର ଜଣେ କଲେଜ ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇ ଗୋପାଳପୁର ବିଚରେ ଗଣ ଦୁଷ୍କର୍ମର ଶୀକାର ହୋଇଥିଲେ । ଏହି ମାମଲାରେ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତଙ୍କ ମଧ୍ୟରେ ୪ ନାବାଳକ ଅଛନ୍ତି । ଅଭିଯୁକ୍ତମାନେ ମଦ୍ୟପାନ କରିଥିଲେ। ଏଣୁ ସ୍ଥାନୀୟ ମଦ ଦୋକାନ ଓ ବେଳାଭୂମିରେ ଲାଗିଥିବା କିଛି ସିସିଟିଭି ଫୁଟେଜ୍‌ ମଧ୍ୟ ଯାଞ୍ଚ କରାଯାଉଛି । କ୍ରାଇମ୍‌ବ୍ରାଞ୍ଚ ଆଇଜି ଏସ୍‌.ସାଇନିଙ୍କ ତତ୍ତ୍ୱାବଧାନରେ ୯ ଜଣିଆ ଟିମ୍‌ ବ୍ରହ୍ମପୁରରେ ଡେରା ପକାଇଥିବା ବେଳେ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି । ରାଜ୍ୟ ସରକାର ମାମଲାର ତଦନ୍ତ ଶୀଘ୍ର ସାରି ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।