ଚତୁରଙ୍ଗକୁ ଆହୁରି ପାଠକାଭିମୁଖୀ କରାଯିବାକୁ ଆହ୍ବାନ

0

ବଲାଙ୍ଗୀର :  ଜିଲ୍ଲା ସଂସ୍କୃତି ଭବନଠାରେ ଆୟୋଜିତ ଚତୁରଙ୍ଗ ନବପ୍ରକାଶର ୯ମ ଓ ୧୦ମ ସଂଖ୍ୟାର ପାଠକାର୍ପଣ ସମାରୋହ,  କୋଶଳ କଳାମଣ୍ଡଳ  ପରିଚାଳନା ସମିତି ସଦସ୍ୟ ପ୍ରଫେସର ମଧୁସୂଦନ ପତିଙ୍କ ସଭାପତିତ୍ୱରେ  ଅନୁଷ୍ଠିତ ହୋଇଛି  । ଏଥିରେ  ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟାନନ୍ଦ ସେଠୀ ମୁଖ୍ୟ  ଅତିଥି ଭାବରେ ଯୋଗ ଦେଇ ମହତ ଉଦ୍ଦେଶ୍ୟ  ନେଇ ଆରମ୍ଭ ହୋଇଥିବା  ଚତୁରଙ୍ଗ ର ପ୍ରକାଶନ ପାଇଁ ସମସ୍ତେ ଏକନିଷ୍ଠ ଭାବରେ କାମ  କରିବାକୁ ଆହ୍ଵାନ ଦେଇଥିଲେ ।

ସାଂପ୍ରତିକ ପରିବେଶ ପାଠକୀୟତାର  ବିପରୀତମୁଖୀ ହେଉଥିବାରୁ ଚତୁରଙ୍ଗ କୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଓ ପାଠକ ସମାବେଶ ଦ୍ଵାରା  ଆହୁରି ପାଠକାଭିମୁଖୀ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ମଧୁସୂଦନ ପତି ତାଙ୍କ  ସଭାପତିତ୍ୱ ଅଭିଭାଷଣରେ ଆହ୍ଵାନ ଦେଇଛନ୍ତି। ଚତୁରଙ୍ଗର ସହ ସଂପାଦକ ସନାତନ ଠାକୁର  ସଂପାଦକୀୟ ବିବରଣୀ ପାଠ କରିଥିଲେ । ସଂପାଦନା ମଣ୍ଡଳୀ ସଦସ୍ୟ  ସନ୍ଦୀପ କୁମାର କୁଅଁରଙ୍କ  ସଭା ପରିଚାଳନାରେ ପ୍ରାରମ୍ଭରେ  ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଚତୁରଙ୍ଗ ର  ପରିଚାଳନା  ସଂପାଦକ  ରଶ୍ମୀରଞ୍ଜନ ମିଶ୍ର  ସମସ୍ତଙ୍କୁ ସ୍ଵାଗତ କରିଥିଲେ  । ବୀରେନ୍ଦ୍ର କୁମାର ଝାଙ୍କର  ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍‌ଗାତା, ଡକ୍ଟର ଗୋପବନ୍ଧୁ ରଥ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସଂପାଦନା ମଣ୍ଡଳୀ ତରଫରୁ କବି ଭାଗିରଥୀ ମିଶ୍ର, ଡକ୍ଟର ସୁଷମା ମଞ୍ଜରୀ ନାୟକ,ଡକ୍ଟର ସଂଜୟ କୁମାର ମିଶ୍ର, ଚତୁରଙ୍ଗ ର ଲେଖକ ମାନଙ୍କ ମଧ୍ୟରୁ ଡକ୍ଟର ଗୋବର୍ଦ୍ଧନ ନାୟକ,ଭିକାରୀ ମିଶ୍ର ଚତୁରଙ୍ଗ ର ପ୍ରକାଶନ, ବଣ୍ଟନ, ବିକ୍ରୟ, ଓ ଲେଖା ସଂଗ୍ରହକୁ ନେଇ ମତ ଦେଇଥିବା ବେଳେ  ବୀରେନ୍ଦ୍ର କୁମାର ଝାଙ୍କର, ବିଭୁକଲ୍ୟାଣ ଗଡତିଆ, ଡକ୍ଟର ଅଶ୍ବିନୀ କୁମାର ରଥ  ପ୍ରମୁଖ ମତ ଦେଇଥିଲେ। ଶେଷରେ ସଂପାଦନା ମଣ୍ଡଳୀ ସଦସ୍ୟ  ରଘୁନାଥ ବାବୁ  ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଯୋଗ୍ୟ  ଯେ ଚତୁରଙ୍ଗର ଚଳିତ ସଂଖ୍ୟାଟି  ବଲାଙ୍ଗିର ବିଶେଷାଙ୍କ ଭାବରେ ବହୁ ନୂତନ ଓ ପୁରାତନ ଲେଖକ, ଲେଖିକାଙ୍କୁ ନେଇ ପ୍ରକାଶ ପାଇଛି।