ପ୍ରାଥମିକ ଶିକ୍ଷକଙ୍କ ୩ ଦଫା ଦାବି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବ ଆଲୋଚନା; ସମାଧାନର ଫିଟିବ ବାଟ
ଭୁବନେଶ୍ୱର: ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ବାହାରିପାରେ ବାଟ । ସମାଧାନ ହୋଇପାରେ ପିଲାଙ୍କ ପାଠପଢା ବନ୍ଦ ସମସ୍ୟା । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଡାକରା ଆସିବା ପରେ ପ୍ରାଥମିକ ଶିକ୍ଷକଙ୍କ ୩ ଦଫା ଦାବି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଲୋଚନା ହେବ । ଅପରାହ୍ଣ ୫ଟାରେ ଏହି ବୈଠକ ବସିବ । ପୂର୍ବରୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ଆଲୋଚନା ହୋଇଥିଲେ ମଧ୍ୟ ଶିକ୍ଷକମାନେ ନିଜ ଜିଦରେ ଅଟଳ ରହିଥିଲେ ।
ଆଜି ଅପରାହ୍ଣ ୫ଟାରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ( ପିଷ୍ଟା)କୁ ବୈଠକ ପାଇଁ ସିଏମଓ ଅଫିସରୁ ସ୍ୱତନ୍ତ୍ର ଡାକରା ଆସିଛି। ଏନେଇ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘର ସଭାପତି ବ୍ରହ୍ମାନନ୍ଦ ମହାରଣା ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା ହେବ। ଏହି ଆଲୋଚନା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅନୁଷ୍ଠିତ ହେବ। ଆସନ୍ତା ୨୬ ତାରିଖରେ ଭୁବନେଶ୍ବରରେ ଶିକ୍ଷକମାନଙ୍କର ମହାସମାବେଶ ଡାକରା ଦିଆଯାଇଛି। ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ଲୋୟର ପିଏମ୍ଜିରେ ହେବାକୁ ଥିବା ଏହି ସମାବେଶରେ ଲକ୍ଷାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହେବେ। ଏହାଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ଯାହା କ୍ଷତି ହେବ ସେଥିପାଇଁ ଗଣଶିକ୍ଷା ବିଭାଗ ଓ ରାଜ୍ୟ ସରକାର ଦାୟୀ ରହିବେ ବୋଲି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା ସତର୍କ କରାଇ ଦେଇଛନ୍ତି।