ଟେବୁଲ ଟପ ଏକ୍ସରସାଇଜ଼ ଏବଂ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ନେଇ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0

ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ଭାବ୍ୟ ବିପର୍ୟ୍ୟୟ ମୁକାବିଲା ନିମନ୍ତେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚଳିତ ମାସ ୧୮ରେ ୨ଟି ପର୍ୟ୍ୟାୟ ରେ ଜିଲ୍ଲା ସ୍ତରୀୟ ତଥା ବ୍ଲକ ଓ ୟୁ.ଏଲ.ବି ସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ ଅନୁଷ୍ଠିତ ହେବ । ବନ୍ୟାର ସୂଚନା ଆସିଲେ ସରକାରୀ ବିଭାଗୀୟ ଅଧିକାରୀ ମାନେ କିଭଳି ପଦକ୍ଷେପ ନେବେ ତାର ପୂର୍ବାଭିନୟ କରାଯିବ । ସମସ୍ତ ସମ୍ପୃକ୍ତ ଅଧିକାରୀ, କର୍ମକର୍ତ୍ତା ମାନେ ବନ୍ୟା ବିପର୍ୟୟର ସୁ ପରିଚାଳନା ନିମନ୍ତେ ବନ୍ୟା ପୂର୍ବରୁ, ବନ୍ୟା ପରେ ଓ ବନ୍ୟା ସମୟରେ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ କଣ ରହିଛି ତାର ଦୃଶ୍ୟ ଶ୍ରାବ୍ୟ ଦ୍ୱାରା ଉପସ୍ଥାପନା କରାଯିବ । ୧୯ ତାରିଖରେ ବନ୍ୟା ଆଶ୍ରୟସ୍ଥଳୀ ଠାରେ ବିପର୍ୟ୍ୟୟ ପରିଚାଳନା ଅଭ୍ୟାସ (ମକଡ୍ରିଲ) ଅନୁଷ୍ଠିତ ହେବ । ସାମୁହିକ ଅଭ୍ୟାସ ପୂର୍ବରୁ ଆବଶ୍ୟକ ପ୍ରସ୍ତୁତି କରିବା ନିମନ୍ତେ ବନ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟି ତଥା ସମ୍ପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ତଥା ବ୍ଲକ ସ୍ତରୀୟ ଅନ୍ୟ ସହଯୋଗୀ ସଂସ୍ଥା ମୁଖ୍ୟ, କମ୍ୟୁନିଟି କର୍ମକର୍ତ୍ତା ପ୍ରମୁଖଙ୍କୁ ପରାମର୍ଶ ଦିଆଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ପ୍ରଧାନ ବିପର୍ୟ୍ୟୟ ପରିଚାଳନା ଅଭ୍ୟାସ ସମୟରେ ଯେପରି କୌଣସି ପ୍ରକାର ଅଘଟଣ ନହୁଏ ସେଥି ପ୍ରତି ବିଶେଷ ସତର୍କ ତଥା ଅଭ୍ୟାସ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଅନ୍ୟପଟେ, ବିପର୍ୟ୍ୟୟରୁ ଜନସାଧାରଣଙ୍କୁ ଯେପରି ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯାଇପାରିବ ସେଥି ନିମନ୍ତେ ବ୍ୟାପକ ଭାବେ ସଚେତନତା ଜାଗରଣ କରିବା, ବିଭିନ୍ନ ସରକାରୀ ନିଜ ବିଭାଗୀୟ ଦାୟିତ୍ୱ ଓ କର୍ତ୍ତବ୍ୟର ଅନୁପାଳନକୁ ସୁନିଶ୍ଚିତ କରିବା, ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ କରିବା,ଜିଲ୍ଲା ସ୍ଥିତ ବିଭିନ୍ନ ନଦୀ ନାଳର ଆଡି ବନ୍ଧ ସ୍ଥିତିର ସୂନିଶ୍ଚିତ କରିବା, ଆଶ୍ରୟସ୍ଥଳୀ ପରିଚାଳନା, ସନ୍ଧାନ ଓ ଉଦ୍ଧାର କାର୍ୟ୍ୟ ନିମନ୍ତେ ଆବଶ୍ୟକ ପଦକ୍ଷେପ , ସ୍ଥାନାନ୍ତରଣ ତଥା ପ୍ରାଥମିକ ଚିକିତ୍ସା ପ୍ରଭୁତି ବିଷୟରେ ସୁପରିଚିତ କରାଇବା ସାମୁହିକ ଅଭ୍ୟାସର ମୂଳ ଉଦେଶ୍ୟ ରହିଥିବା ସୂଚନା ପ୍ରଦାନ କରିଥିଲେ ।