ବଡ଼ଚଣା/ ବେଦପ୍ରକାଶ ନାୟକ : 35ଫୁଟ କୂଅ ଭିତରୁ ଭାସି ଆସୁଥିଲା ଫଁ ଫଁ ଗର୍ଜନ | ଗଭୀର କୂଅ ଭିତରୁ ଏମିତି ଶବ୍ଦ ଶୁଣି ପ୍ରଥମେ ଭୟଭୀତ ହେଲେ ପରିବାର ଲୋକ ପରେ ପାଖକୁ ଯାଇ ଦେଖନ୍ତି ତ ପରିତ୍ୟକ୍ତ କୂଅରେ ପଡିଛି ବିରାଟ ନାଗୁଣୀ | ନାଗୁଣୀର ପେଟ ଫୁଲି ଥିବା ବେଳେ କିଛି ଖାଇଦେଇଥିବା ଭାବି ହଜମ ନହେବାରୁ ନାଗୁଣୀ କଷ୍ଟ ପାଉଥିବେ ବୋଲି ଭାବିଥିଲେ କୂଅ ମାଲିକ ରିହାନ | ହେଲେ ପ୍ରକୃତ ଘଟଣା ହେଉଛି ସାପ ଅଣ୍ଡା ଦେବ ବୋଲି ଜାଗା ଖୋଜୁ ଖୋଜୁ କୂଅ ଭିତରକୁ ଗଳିପଡିଥିଲା | ନାଗୁଣୀ 14ଟି ଅଣ୍ଡା ଦେଇ ଆଉ କୂଅ ଭିତରୁ ବାହାରି ପାରି ନଥିଲା | ଶେଷରେ ସ୍ଥାନୀୟ ସ୍ନେକ ହେଲ୍ପ ଲାଇନର ସଦସ୍ୟ ସେଠାରେ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା କରି ସଫଳ ନହେବାରୁ ଭୁବନେଶ୍ୱର ସ୍ନେକ ହେଲ୍ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଜଣାଇ ଥିଲେ ଶୁଭେନ୍ଦୁଏକ ଦୁଇ ଜଣିଆ ଟିମ ପଠାଇ ଥିଲେ | ଟିମ ପହଞ୍ଚିବା ପରେ ସ୍ଥାନୀୟ ବନ ବିଭାଗ, ଦମକଳ ବାହିନୀକୁ ସହଯୋଗ ମାଗିଥିଲା ଶେଷରେ ସମସ୍ତଙ୍କ ସହଯୋଗରେ ସାପଟିକୁ ଉଦ୍ଧାର କରାଯାଇଥିବା ରେଞ୍ଜର ହିମାଂଶୁ ସାହୁଙ୍କ ଉପସ୍ଥିତିରେ ନିକଟସ୍ଥ ଜଙ୍ଗଲରେ ଛଡା ଯାଇଛି | ତେବେ ସ୍ନେକ ହେଲ୍ପ ଲାଇନ ସଦସ୍ୟ, ବନବିଭାଗ, ଦମକଳବାହିନୀକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ସ୍ଥାନୀୟ ବାସିନ୍ଦା | ଏସବୁ ଘଟଣା ଦେଖିବା ପାଇଁ ବଡ଼ଚଣା ବ୍ଲକ ଚଣ୍ଡିଖୋଲ ଛକ ନିକଟସ୍ଥ ନେଉଳପୁର ଗ୍ରାମର ରିହାନ ପରିତ୍ୟକ୍ତ କୂଅ ନିକଟରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ଼ |