ଭୁବନେଶ୍ୱର: ଘର ତାଡ଼ି ଚୋରି କଲେ। ଯିବା ସମୟରେ ଚୋରମାନେ ମାରଣାସ୍ତ୍ର ଛାଡିଦେଇ ଗଲେ । ଏମିତି ଘଟଣା ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଏନେଇ ଥାନାରେ ଏତଲା ଦେଇଛନ୍ତି, ଚର୍ଜିତ ମହାନ୍ତି। ତାଙ୍କ ଘର ଲାପ୍ଟପ୍, ମୋବାଇଲ୍ ଓ ଅନ୍ୟ ମୂଲ୍ୟବାନ ଜିନିଷ ଚୋରି ହୋଇଛି। ଚର୍ଚ୍ଚିତଙ୍କ ଘର କଳ୍ପନା ଅଞ୍ଚଳରେ। ସୋମବାର ବିଳମ୍ବିତ ରାତିରେ ଚୋରମାନ ତାଙ୍କ କବାଟର ତାଲା ଭାଙ୍ଗି ଘରେ ପଶିଥିଲେ । ଆଲମାରୀ ତାଡ଼ି, ଲାପ୍ଟପ, ମୋବାଇଲ୍ ଟଙ୍କା ଓ ସୁନା ଅଳଙ୍କାର ଲୁଟିଥିଲେ। ଯିବାବେଳେ ଏକ କଟୁରି, ଖଣ୍ଡା ଓ ଲୁହା ରଡ୍ ଛାଡ଼ି ଯାଇଥିଲେ । ପୁଲିସ୍ ମାମଲା (୩୩୮୦୨୩) ରୁଜୁ କରି ଘଟଣାର ତଦନ୍ତ କରୁଛି। ସେହିଭଳି ଲକ୍ଷ୍ମୀସାଗର ଉପରସାହିରେ ରହୁଛନ୍ତି କଲ୍ୟାଣି ପ୍ରିୟଦର୍ଶିନୀ ସାହୁ । ତାଙ୍କ ସ୍ବାମୀ କୋରାପୁଟ ଜିଲ୍ଲାରେ ଏକ ରାଷ୍ଟ୍ରାୟତ ବ୍ୟାଙ୍କର କର୍ମଚାରୀ। ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ବେଳେ କଲ୍ୟାଣୀ ତାଙ୍କ ପୁଅକୁ ଟ୍ୟୁସନ୍ ଛାଡ଼ିବାକୁ ଯାଇଥିଲେ । ଫେରିବା ପରେ ଦେଖିଥିଲେ ତାଙ୍କ ଘର କବାଟ ତଡ଼ା ହୋଇଛି। ଚୋରମାନେ ଟଙ୍କା ସୁନା ଓ ଅନ୍ୟ ସବୁ ଜିନିଷପତ୍ର ନେଇ ପଳାଇଛନ୍ତି। ଏନେଇ କଲ୍ୟାଣୀ ଏତଲା ଦେଲା ପରେ ପୁଲିସ୍ ମାମଲା (୩୩୯/୨୩)ରେ ମାମଲା ରୁଜୁ କରିଛି । ବଡ଼ଗଡ଼ ଥାନା ଅଞ୍ଚଳରେ ମଧ୍ୟ ୨ଟି ସିନ୍ଧିଚୋରି ହୋଇଛି। ଗତକାଲି ବିଳମ୍ବିତ ରାତିରେ ବ୍ରିଟ୍ କଲୋନୀରେ ଥିବା ସୁରଜ ମହାରଣାଙ୍କ ଦୋକାନ ତାଡ଼ି ୨ଟି ଗ୍ୟାସ୍ ସିଲିଣ୍ଡର ଓ ଅନ୍ୟ ସବୁ ଜିନିଷ ଚୋରି କରି ନେଇଛନ୍ତି। ସେହିଭଳି ଅରବିନ୍ଦ କଲୋନୀ-୨ରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ଗତକାଲି ଚୋର ପଶିଥିଲେ। ସେଠାରେ ଲାଗିଥିବା ସିସିକ୍ୟାମେରା ଓ ଅନ୍ୟ ଜିନିଷପତ୍ର ଭଙ୍ଗାରୁଜା କରି ବହୁ ଜିନିଷପତ୍ର ଚୋରି କରିଥିଲେ। ଏନେଇ ଅଙ୍ଗନବାଡି କର୍ମୀ ଲକ୍ଷ୍ମୀ ଚୌଧୁରୀ ଥାନାରେ ଏତଲା ଦେଇଛନ୍ତି।