ଓୟୁଏଟି ପକ୍ଷରୁ ଚିନାବାଦାମ ଓପାଡିବା ସହ ଛଡ଼ାଇବା ଯନ୍ତ୍ର ପ୍ରଦର୍ଶିତ

0

ଭୁବନେଶ୍ୱର : ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ଫାର୍ମ ମେକାନାଇଜେସନର ସଫଳ ପ୍ରଦର୍ଶନ କରାଯାଇଛି I ପ୍ରଥମ କରି ଚିନାବାଦାମ ଓପାଡିବା (Groundnut digger shaker) ସହ ଛଡ଼ାଇବା (Groundnut thresher) ଯନ୍ତ୍ର ପ୍ରଦର୍ଶିତ ହୋଇଛି I ଏଥିରେ ଘଣ୍ଟାକୁ ପ୍ରାୟ ୧ ଏକର ଜମିରୁ ଚିନାବାଦାମ ଗଛ ଉପାଡିବା ସହ ଏଥିରୁ ବାଦାମକୁ ଅଲଗା କରି ପ୍ରକ୍ରିୟାକରଣ କରି ବଜାରକୁ ପଠାଇବାର ବ୍ୟବସ୍ଥା କରାଯାଇଛି I

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ଉପସ୍ଥିତିରେ ଏହି ଯନ୍ତ୍ରପାତୀର ସଫଳ କ୍ଷେତ୍ର ପରୀକ୍ଷଣ କରାଯାଇଛି I ପ୍ରଥମ ପର୍ଯ୍ୟାୟରେ ଧାନ ଏବଂ ଚିନାବାଦାମକୁ ନିଆଯାଇଥିବା ବେଳେ ଏହି ଯନ୍ତ୍ର ବ୍ୟବହାର ଶ୍ରମିକ ସମସ୍ୟାକୁ ଦୂର କରିବ ବୋଲି କୁଳପତି କହିଛନ୍ତି I ଏହି ଦୁଇଟି ଫସଲର ବୁଣାଠାରୁ ଅମଳ ଯାଏଁ ମଞ୍ଜି ବୁଣିବା, ଧାଡି ରୁଆ, ଜଳସେଚନ, ସାରା ଦେବା ଆଦି ପ୍ରତିଟି କାର୍ଯ୍ୟ ଯନ୍ତ୍ର ସାହାଯ୍ୟରେ କରିବାକୁ ଚେଷ୍ଟା କରାଯାଇଛି I

ଏହି କାର୍ଯ୍ୟକ୍ରମ ପାଇଁ ଓୟୁଏଟି ପକ୍ଷରୁ କିଛି ସ୍ଥାନକୁ ଚୟନ କରାଯାଇଥିଲା I ସେଠି ଏହି ଫସଲ ଗୁଡିକର ଯନ୍ତ୍ର ସାହାଯ୍ୟରେ ଅମଳର ପରୀକ୍ଷଣ କରାଯାଇଥିଲା I ଆଗକୁ ଧାନ ସହ ଅନ୍ୟାନ୍ୟ ଫସଲର ପରୀକ୍ଷଣ କରାଯିବ I ବିଶେଷ କରି ଆମ ରାଜ୍ୟର ବିଭିନ୍ନ ସ୍ଥାନର ଚାଷ ଜମିକୁ ନେଇ ପରୀକ୍ଷଣ କରାଯିବ I ଏହି କାର୍ଯ୍ୟକ୍ରମ ଦ୍ୱାରା ଚାଷୀ, ଛାତ୍ରଛାତ୍ରୀ ଏବଂ ବୈଜ୍ଞାନିକ ଲାଭବାନ ହେବେ I ସ୍ୱଳ୍ପ ସମୟ ମଧ୍ୟରେ ଅଧିକ ଅମଳ ହେବ ବୋଲି ଆଶା ରଖାଯାଇଛି I