ବିଭିନ୍ନ ରାଜ୍ୟରେ ଟମାଟୋ ଦର ବଢ଼ି ଚାଲିଛି । ଯେବେଠାରୁ ଟମାଟୋ ଦର ବଢି ଚାଲିଛି, ସେବେଠାରୁ ଅପରାଧିକ ଘଟଣା ମଧ୍ୟ ବଢିବାରେ ଲାଗିଛି । କାହା କ୍ଷେତରୁ ଲକ୍ଷାଧିକ ଟଙ୍କାର ଟମାଟୋ ଚୋରି ହେଉଛି ତ ଆଉ କେଉଁଠି ମାରପିଟ ଓ ହତ୍ୟା ହେଉଛି । କିଛି ରାଜ୍ୟରେ ଏବେ ଟମାଟୋ କିଲୋ ୨୦୦ ଉପରେ ରହିଛି । ତେବେ ଟମାଟୋ ବିକ୍ରି କରି ଲକ୍ଷାଧିକ ଟଙ୍କା ରୋଜଗାର କରିଥିବା ଜଣେ ସଫଳ ଚାଷୀଙ୍କର ଶେଷରେ ଟଙ୍କା ପାଇଁ ହିଁ ଜୀବନ ଚାଲିଯାଇଛି ।
ଆନ୍ଧ୍ରପ୍ରଦେଶର ଜଣେ ୬୨ ବର୍ଷୀୟ ବ୍ୟକ୍ତି ରାଜଶେଖର ରେଡ୍ଡି ଟମାଟୋ ଚାଷ କରନ୍ତି । ଜୁଲାଇ ପ୍ରଥମ ସପ୍ତାହରେ ସେ ୩୦ ଲକ୍ଷ ଟଙ୍କାର ଟମାଟୋ ବିକ୍ରି କରିଥିଲେ । ତେବେ ଏହି ଲାଭ ହିଁ ତାଙ୍କ ମୃତ୍ୟୁର କାରଣ ହେଲା । ରାଜଶେଖର ରେଡ୍ଡିଙ୍କ ପରିବାର ସନ୍ଦେହ କରୁଛନ୍ତି କି ଏହି ହତ୍ୟା ପଛରେ କିଛି ଡକାୟତଙ୍କ ସମେତ ଅନ୍ୟ କିଛି ବ୍ୟବସାୟୀ ମଧ୍ୟ ସାମିଲ ଅଛନ୍ତି ।
ରାଜଶେଖର ରେଡ୍ଡିଙ୍କୁ ପିଟିପିଟି ହତ୍ୟା କରାଯାଇଛି । ସେ ବାଇକ୍ ଚଲାଉଥିବା ବେଳେ ତାଙ୍କୁ କିଛି ଦୁର୍ବୃତ୍ତ ଅଟକାଇଥିଲେ । ତାଙ୍କ ପାଟିରେ କପଡ଼ା ଭର୍ତ୍ତି କରି ସେମାନେ ହାତ ବାନ୍ଧି ପକାଇଥିଲେ ଏବଂ ଏହାପରେ ତାଙ୍କୁ ଗଛରେ ବାନ୍ଧି ପିଟିପିଟି ହତ୍ୟା କରିଥିଲେ । ତେବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।