ଶୋଇଥିବାବେଳେ ଶିଶୁକୁ କାମୁଡି କ୍ଷତାକ୍ତ କଲେ ମୂଷା

0

ବୁରୋ: ଶୋଇଥିବାବେଳେ ଶିଶୁକୁ କାମୁଡି କ୍ଷତାକ୍ତ କଲେ ମୂଷା । ଏଭଳି ଘଟଣା ଘଟିଛି ଆମେରିକାର ଇଣ୍ଡିଆନାରେ । ଗତ ସପ୍ତାହରେ ୬ ମାସର ପିଲାକୁ ଶୋଇଥିବା ବେଳେ ମୂଷାମାନେ ୫୦ରୁ ଅଧିକ ଥର କାମୁଡ଼ି ରକ୍ତାତ କରିଥିବା ଘଟଣା ସାମ୍ନାକୁ ଆସିଛି । ସେପ୍ଟେମ୍ବର ୧୩ ତାରିଖ ଦିନ ଘଟିଛି ଏପରି ଘଟଣା । ପିଲାର ବାପାଙ୍କଠାରୁ ସୂଚନା ପାଇ ଇଭାନସଭାଇଲ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପିଲାଟିକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ଅନ୍ୟଜଣଙ୍କ ତତ୍ତ୍ୱାବଧାନରେ ରଖାଯାଇଛି। ଅନ୍ୟପଟେ ପିଲାକୁ ଅବହେଳା କରିଥିବା ଓ ଅନ୍ୟାନ୍ୟ ଅପରାଧିକ ମାମଲା ଦର୍ଶାଇ ପୁଲିସ ତା’ର ବାପା ଡେଭିଡ୍ ଓ ମାଆ ଏଞ୍ଜେଲ୍ ସ୍କୋନାବାଉମ୍ଙ୍କୁ ଗିରଫ କରିଥିବା ଜଣାପଡିଛି। ଏହାଛଡ଼ା, ସେ ଘରେ ବାସ କରୁଥିବା ପିଲାର ମାଉସୀ ଡିଲେନିଆ ଥରମ୍ୟାନଙ୍କୁ ବି ଉପରୋକ୍ତ ଅଭିଯୋଗରେ ପୁଲିସ ଗିରଫ କରିଥିବା ଜଣାପଡିଛି।
ପୁଲିସ କହିଛି ଯେ, ପିଲାଟିର ମୁଣ୍ଡ ଓ ମୁହଁରେ ୫୦ରୁ ଅଧିକ କାମୁଡ଼ା କ୍ଷତ ହୋଇଥିଲା । ଏବଂ ପିଲାଟି ରକ୍ତ ଜୁଡୁବୁଡୁ ହୋଇ ରହିଥିଲା । ତା’ର ହାତ ଓ ଗୋଡ଼ ଆଙ୍ଗୁଠିରୁ ମୂଷା ମାଂସ ନେଇ ଯାଇଥିବାରୁ ହାଡ଼ ଦିଶୁଥିବା କଥା ‘ଆରେଷ୍ଟ ଆଫିଡେଭିଟ’ରେ ପୁଲିସ ଡିଟେକ୍ଟିଭ୍ ଜନାଥନ ହେଲମ କହିଛନ୍ତି। ଘଟଣାରେ ପିଲାର ବାପାଙ୍କୁ ଜେଲ୍ରେ ଭର୍ତ୍ତି କରାଯାଇଛି। ମାଆଙ୍କୁ ୧୦ ହଜାର ଡଲାର୍ ବଣ୍ଡରେ ଅଟକ ରଖାଯାଇଥିବାବେଳେ ମାଉସୀଙ୍କ ନାଁ’ରେ ଦାୟିତ୍ବହୀନତା ଅଭିଯୋଗ ଆରୋପ କରାଯାଇ ୨ହଜାର ୫୦୦ ଡଲାର ବଣ୍ଡରେ ଜେଲରେ ଭର୍ତ୍ତି କରାଯାଇଛି।