କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଓଲା,ଉବର ଓ ରାପିଡୋକୁ ଗଲା ନୋଟିସ୍

0

ନୂଆଦିଲ୍ଲୀ : ଯାତ୍ରା ଅନୁସାରେ ପଡୁନାହିଁ ସମାନ ଦର । ମୋବାଇଲ ଡିଭାଇସ ଭିନ୍ନ ହୋଇଥିଲେ ଦରଗତ ପାର୍ଥକ୍ୟ ଦେଖାଯାଉଛି । ସେଥିପାଇଁ ଓଲା,ଉବର ଓ ରାପିଡୋକୁ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ନୋଟିସ୍ ଜାରି କରିଛି । ସମାନ ସର୍ଭିସରେ ଅଲଗା ପ୍ରକାର ଦର ଧାର୍ଯ୍ୟ କରାଯାଉଥିବାରୁ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛି କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ ବା ସିସିପିଏ ।

 

ଏପରି ପଦକ୍ଷେପ ନିଆଯିବାର କାରଣ ଖାଉଟିଙ୍କୁ ଆଇଫୋନ କିମ୍ବା ଆଣ୍ଡ୍ରଏଡ ଫୋନରେ ବୁକିଂ କ୍ଷେତ୍ରରେ ଭିନ୍ନ ଭିନ୍ନ ଦର ଦେବାକୁ ପଡୁଛି । ଦରଧାର୍ୟ୍ୟ ପ୍ରକ୍ରିୟା ସମ୍ପର୍କରେ ବିବରଣୀ ଦାଖଲ କରିବାକୁ ସିସିପିଏ ଦୁଇ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛି । ଭଡ଼ା କ୍ଷେତ୍ରରେ ସ୍ବଚ୍ଛ ପ୍ରକ୍ରିୟା ଅବଲମ୍ବନ କରିବା ନେଇ ମନ୍ତ୍ରାଳୟ ସବିଶେଷ ରିପୋର୍ଟ ମାଗିଛି ।


ସୂଚନା ଅନୁସାରେ, ଦିଲ୍ଲୀର ଜଣେ ବ୍ୟବସାୟୀ ଦରଗତ ପାର୍ଥକ୍ୟ ସମ୍ପର୍କରେ ଜାଣିବା ପରେ ଖବର ପଦାକୁ ଆସିଥିଲା। ଗତ ଡିସେମ୍ବରରେ ଏହି ଧରଣର ଏକ ଅଭିଯୋଗ ଆସିଥିଲେ ବି ଏହାକୁ ଖଣ୍ଡନ କରିଥିଲା ଉବର।

 

ବର୍ତ୍ତମାନ ଏହି ଅଭିଯୋଗ ଆସିବା ପରେ ଓଲା, ଉବର ଓ ରାପିଡୋର ଦର ଧାର୍ୟ୍ୟ ପ୍ରକ୍ରିୟା ସମ୍ପର୍କରେ ତଦନ୍ତ କରିବା ଲାଗି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସିସିପିଏକୁ ନିର୍ଦ୍ଦେଶ ଦେଇଛନ୍ତି ।